ଅଯୋଧ୍ୟା: ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି ମନ୍ଦିରର ଦାନପାତ୍ରରୁ କୋଟି କୋଟି ଟଙ୍କାର ଦାନ ଚୋରି ଅଭିଯୋଗକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଥିବା ବେଳେ, ଏହା ଉପରେ ପ୍ରଥମ ଥର ପାଇଁ ବଡ଼ ବୟାନ ଦେଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଶୁକ୍ରବାର ଅଯୋଧ୍ୟା ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ବିରୋଧୀ ଓ ସମାଲୋଚକମାନଙ୍କୁ ସ୍ପଷ୍ଟ ଜବାବ ଦେଇଛନ୍ତି।
ସିଏମ୍ ଯୋଗୀ କହିଛନ୍ତି, "ରାମ ମନ୍ଦିର ନିର୍ମାଣ ପାଇଁ ଦେଶବାସୀ ଦୀର୍ଘ ୫୦୦ ବର୍ଷ ଅପେକ୍ଷା କରିଛନ୍ତି। ଏବେ ଯେତେବେଳେ ଦାନ ଚୋରି ମାମଲାରେ ଏସଆଇଟି (SIT) ତଦନ୍ତ ଚାଲିଛି, ତେବେ ଆଉ ମାତ୍ର ୧୫ ଦିନ ଅପେକ୍ଷା କରିଯାଆନ୍ତୁ। ଏସଆଇଟି ଖୁବଶୀଘ୍ର କ୍ଷୀରର କ୍ଷୀର ଓ ପାଣିର ପାଣି ଅଲଗା କରିଦେବ।" ଏହା ସହିତ ସେ ଚେତାବନୀ ଦେଇଛନ୍ତି ଯେ ପ୍ରଭୁ ଶ୍ରୀରାମଙ୍କ ଦରବାରରେ କୌଣସି ପ୍ରକାରର ହେରଫେର ବରଦାସ୍ତ କରାଯିବ ନାହିଁ ଏବଂ ଦୋଷୀଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଏସଆଇଟି କରୁଛି ମାମଲାର ଖୋଳତାଡ଼
ସୂଚନାଯୋଗ୍ୟ, ରାମ ମନ୍ଦିର ଟ୍ରଷ୍ଟର ଲିଖିତ ଅନୁରୋଧ କ୍ରମେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାରେ ଏକ ୩ ଜଣିଆ ସ୍ୱତନ୍ତ୍ର ତଦନ୍ତ ଦଳ ଗଠନ କରିଛନ୍ତି। ମନ୍ଦିରରୁ କୋଟି କୋଟି ଟଙ୍କାର ରାଶି ଚୋରି ହୋଇଥିବା ନେଇ କିଛି ଦିନ ହେବ ସୋସିଆଲ ମିଡିଆ ଏବଂ ଗଣମାଧ୍ୟମରେ ତେଜିଥିବା ବିବାଦ ପରେ ଏହି ଆକ୍ସନ ନିଆଯାଇଛି। ବିରୋଧୀ ଦଳ ଏହି ପ୍ରସଙ୍ଗରେ ସରକାର ଓ ଟ୍ରଷ୍ଟକୁ ଘେରିବାକୁ ଚେଷ୍ଟା କରୁଥିବା ବେଳେ ଯୋଗୀଙ୍କ ଏହି ବୟାନ ସମସ୍ତଙ୍କ ମୁହଁ ବନ୍ଦ କରିଦେଇଛି।
ଅଯୋଧ୍ୟାକୁ ୩୭୮ କୋଟିର ଭେଟି
ଆଜି ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟାବାସୀଙ୍କ ପାଇଁ ୩୭୮ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି। ଏଥିରେ ଏକ ରାଜକୀୟ ଆୟୁର୍ବେଦିକ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ସାମିଲ ରହିଛି। ଏହା ସହିତ ସେ ବୀରାଙ୍ଗନା ଝଲକାରୀ ବାଈଙ୍କ ଏକ ଭବ୍ୟ ପ୍ରତିମୂର୍ତ୍ତିର ମଧ୍ୟ ଅନାବରଣ କରିଛନ୍ତି।