ନୂଆଦିଲ୍ଲୀ: ଭାରତ ଏବଂ ଚୀନ୍ ମଧ୍ୟରେ ସୀମା ବିବାଦ କୋହଳ ହେବା ପରେ ଏବେ ଦ୍ୱିପାକ୍ଷିକ ସମ୍ପର୍କରେ ସୁଧାର ଆଣିବା ପାଇଁ ବଡ଼ ଧରଣର କୂଟନୈତିକ ପ୍ରୟାସ ଆରମ୍ଭ ହୋଇଛି। ଏହି କ୍ରମରେ ଚୀନ୍ର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଭାରତ ଗସ୍ତରେ ଆସୁଛନ୍ତି। ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଅଜିତ ଡୋଭାଲଙ୍କ ନିମନ୍ତ୍ରଣ କ୍ରମେ ସେ ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତା ସମ୍ମିଳନୀରେ ଯୋଗଦେବାକୁ ଦିଲ୍ଲୀ ପହଞ୍ଚିବେ। ଏହି ଗସ୍ତ କାଳରେ ଶ୍ରୀ ଡୋଭାଲ ଏବଂ ୱାଙ୍ଗ ୟିଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ଦ୍ୱିପାକ୍ଷିକ ବୈଠକ ହେବାର ସମ୍ଭାବନା ରହିଛି, ଯାହା ଉପରେ ଏବେ ସାରା ବିଶ୍ୱର ନଜର ଅଟକିଛି।
ସୀମା ବିବାଦ ଓ ଶାନ୍ତି ପ୍ରତିଷ୍ଠା ଉପରେ ହେବ ଆଲୋଚନା
ସୂଚନା ଅନୁଯାୟୀ, ଦୁଇ ଦେଶର ଶୀର୍ଷ ସୁରକ୍ଷା ଅଧିକାରୀଙ୍କ ମଧ୍ୟରେ ହେବାକୁ ଥିବା ଏହି ବୈଠକରେ ପ୍ରକୃତ ନିୟନ୍ତ୍ରଣ ରେଖା (LAC)ରେ ସ୍ଥିରତା ବଜାୟ ରଖିବା ଏବଂ ସେନା ପ୍ରତ୍ୟାହାର ପ୍ରକ୍ରିୟାକୁ ଆହୁରି ମଜବୁତ କରିବା ସମ୍ପର୍କରେ ଆଲୋଚନା ହୋଇପାରେ। ଗତ କିଛି ସମୟ ହେବ ଭାରତ ଓ ଚୀନ୍ ମଧ୍ୟରେ ସୀମାନ୍ତରେ ଶାନ୍ତିପୂର୍ଣ୍ଣ ପରିବେଶ ରହିଛି। ଏହି ଶାନ୍ତିକୁ ସ୍ଥାୟୀ ରୂପ ଦେବା ଏବଂ ଦୁଇ ଦେଶ ମଧ୍ୟରେ ଥିବା ମତଭେଦକୁ ବିବାଦରେ ପରିଣତ ନକରିବା ପାଇଁ ଏହି ଆଲୋଚନା ବେଶ୍ ସହାୟକ ହେବ ବୋଲି ଆଶା କରାଯାଉଛି।
ଭାରତ ଚଳିତ ବର୍ଷ ବ୍ରିକ୍ସ ସଂଗଠନର ଅଧ୍ୟକ୍ଷତା କରୁଥିବାରୁ, ଜୁନ୍ ୨୨ ଏବଂ ୨୩ ତାରିଖରେ ନୂଆଦିଲ୍ଲୀରେ ୧୬ତମ ବ୍ରିକ୍ସ ଏନଏସଏ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ନିମନ୍ତ୍ରଣ କ୍ରମେ ଚୀନ ବିଦେଶ ମନ୍ତ୍ରୀ ଏହି ବୈଠକରେ ଭାଗ ନେବେ। ଏହି ସମ୍ମିଳନୀରେ ବିଶ୍ୱର ସାମ୍ପ୍ରତିକ ସୁରକ୍ଷା ସ୍ଥିତି, ଆତଙ୍କବାଦର ମୁକାବିଲା ଏବଂ ସେପ୍ଟେମ୍ବର ମାସରେ ହେବାକୁ ଥିବା ବ୍ରିକ୍ସ ଶିଖର ସମ୍ମିଳନୀର ରୂପରେଖ ସମ୍ପର୍କରେ ଆଲୋଚନା କରାଯିବ।
ଡୋଭାଲ-ୱାଙ୍ଗ ୟି ବୈଠକ ଉପରେ ସମସ୍ତଙ୍କ ନଜର
୨୦୨୪ ମସିହାରେ ପୂର୍ବ ଲଦାଖ ସୀମାରୁ ସେନା ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହେବା ପରେ ଏହା ୱାଙ୍ଗ ୟିଙ୍କର ଦ୍ୱିତୀୟ ଭାରତ ଗସ୍ତ। ଏହାପୂର୍ବରୁ ସେ ଗତ ବର୍ଷ ଅଗଷ୍ଟରେ ଭାରତ ଆସିଥିଲେ। ସୀମା ବିବାଦର ସ୍ଥାୟୀ ସମାଧାନ ଏବଂ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ଅଜିତ ଡୋଭାଲ ଓ ୱାଙ୍ଗ ୟିଙ୍କ ମଧ୍ୟରେ ହେବାକୁ ଥିବା ଏହି ଆଲୋଚନା ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୂଟନୈତିକ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।