ପାଟନା: ଚାହିଁଲେ ମୋତେ ଗୁଳି ମାରିଦିଅନ୍ତୁ, କିନ୍ତୁ ମୁଁ ଏଠାରୁ ଉଠିବି ନାହିଁ। ଏଭଳି ଏକ ଚେତାବନୀ ଦେଇ ପାଟନାର କଦମକୁଆଁ ଥାନା ସମ୍ମୁଖରେ ହଙ୍ଗାମା କରିଛନ୍ତି ଜ୍ଞାନ ବିନ୍ଦୁ କୋଚିଂ ଏକାଡେମୀର ନିର୍ଦ୍ଦେଶକ ରୌଶନ ଆନନ୍ଦ। ବିଶିଷ୍ଟ କୋଚିଂ ସେଣ୍ଟର ମାଲିକ ତଥା ଲୋକପ୍ରିୟ ଶିକ୍ଷକ ଖାନ୍ ସାର୍ (ଫୈଜଲ୍ ଖାନ୍)ଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ଅଡ଼ି ବସିଛନ୍ତି ରୌଶନ। ସେ ଅଭିଯୋଗ କରିଛନ୍ତି ଯେ, ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ରଚନା କରି ଖାନ୍ ସାର୍ ତାଙ୍କ ଭାଇଙ୍କୁ ହତ୍ୟା କରାଇଛନ୍ତି ଏବଂ ତାଙ୍କ ପରିବାରକୁ ସମ୍ପୂର୍ଣ୍ଣ ବରବାଦ କରିଦେଇଛନ୍ତି।
ବୁଧବାର ଦିନ ରୌଶନ ଆନନ୍ଦ ନିଜର ଶତାଧିକ ଛାତ୍ର ଓ ସମର୍ଥକଙ୍କ ସହ କଦମକୁଆଁ ଥାନାରେ ପହଞ୍ଚି ଖାନ୍ ସାର୍ଙ୍କ ବିରୋଧରେ ଏଫ୍ଆଇଆର୍ ଦେବାକୁ ଚେଷ୍ଟା କରିଥିଲେ। କିନ୍ତୁ ପୋଲିସ ମାମଲା ରୁଜୁ କରିବାକୁ ମନା କରିଦେବା ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଥିଲା। ରୌଶନ ଆନନ୍ଦ ଥାନା ବାହାରେ ହିଁ ମାଟିରେ ଧାରଣାରେ ବସି ଯାଇଥିଲେ। ତାଙ୍କ ସମର୍ଥକମାନେ ପୋଲିସ ପ୍ରଶାସନ ବିରୋଧରେ ଜୋରଦାର ସ୍ଲୋଗାନବାଜି କରିଥିଲେ।
ଗଣମାଧ୍ୟମ ପ୍ରତିନିଧିଙ୍କ ସହ କଥା ହେବା ବେଳେ ରୌଶନ ଆନନ୍ଦ ନିଜର କ୍ରୋଧ ଓ କୋହ ସମ୍ଭାଳି ପାରିନଥିଲେ। ସେ କହିଛନ୍ତି,ଏକ ବଡ଼ ଷଡ଼ଯନ୍ତ୍ର କରି ମୋତେ ଜେଲ୍ ପଠାଗଲା ଏବଂ ମୋ ଭାଇଙ୍କୁ ହତ୍ୟା କରାଗଲା। ଆଜି କାହା ଚାପରେ ପୋଲିସ ମୋ ଏଫ୍ଆଇଆର୍ ରଖୁନାହିଁ, ତାହା କଦମକୁଆଁ ଥାନା ପ୍ରଭାରୀ ସ୍ପଷ୍ଟ କରନ୍ତୁ। ଯଦି ମାମଲା ରୁଜୁ ନହୁଏ, ତେବେ ପାଟନା ପୋଲିସ ମୋତେ ଗୁଳି କରିଦେଉ ପଛେ, ମୁଁ ଏଠାରୁ ଇଞ୍ଚେ ବି ହଟିବି ନାହିଁ।
ରୌଶନଙ୍କ ଅଭିଯୋଗ ଅନୁଯାୟୀ, ଖାନ୍ ସାର୍ ନିଜର ପ୍ରତିପତ୍ତି ଓ ଉପରିସ୍ଥ ଅଧିକାରୀଙ୍କ ଚାପ ପ୍ରୟୋଗ କରି ପୋଲିସକୁ ମାମଲା ରୁଜୁ କରିବାରୁ ରୋକୁଛନ୍ତି। ପରିସ୍ଥିତି ବିଗୁଡ଼ୁଥିବା ଦେଖି ଏବଂ ଥାନା ଆଗରେ ଲୋକଙ୍କ ଭିଡ଼ ଜମିବା ପରେ ଆଇଜି (IG) ଜିତେନ୍ଦ୍ର ରାଣା ଘଟଣାସ୍ଥଳରେ ପହଞ୍ଚି ରୌଶନ ଆନନ୍ଦଙ୍କ ସହ ଆଲୋଚନା କରିଥିଲେ। ମିଳିଥିବା ସୂଚନା ଅନୁସାରେ, ଆଇଜି ଆଜି ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ସମୟ ମାଗିଛନ୍ତି ଏବଂ ମାମଲାର ଯାଞ୍ଚ କରି ଏଫ୍ଆଇଆର୍ ରୁଜୁ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
କୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ଚେତାବନୀ
ପୋଲିସର ଆଶ୍ୱାସନା ପରେ ରୌଶନ କହିଛନ୍ତି ଯେ, ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ ନ୍ୟାୟ ନମିଳେ ଏବଂ ଏଫ୍ଆଇଆର୍ ଦରଜ ନହୁଏ, ତେବେ ସେ ନ୍ୟାୟାଳୟର ଆଶ୍ରୟ ନେବେ। ଆମର ନ୍ୟାୟପାଳିକା ଉପରେ ସମ୍ପୂର୍ଣ୍ଣ ଭରସା ଅଛି, ସେଥିପାଇଁ ମୋତେ ପୂର୍ବରୁ ବେଲ୍ (ଜାମିନ) ମଧ୍ୟ ମିଳିପାରିଛି ବୋଲି ରୌଶନ କହିଛନ୍ତି।