ନୂଆଦିଲ୍ଲୀ: ଆସନ୍ତା ୨୧ ଜୁନ୍ରେ ଅନୁଷ୍ଠିତ ହେବାକୁ ଥିବା NEET UG ୨୦୨୬ ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଓ ସୁରୁଖୁରୁରେ ଶେଷ କରିବା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ପରୀକ୍ଷାର ସୁରକ୍ଷା ଏବଂ ବ୍ୟବସ୍ଥାକୁ ଯାଞ୍ଚ କରିବା ପାଇଁ ଶନିବାର ଦିନ ସାରା ଦେଶରେ ଏକ ବଡ଼ ଧରଣର 'ମକ୍ ଡ୍ରିଲ୍'ଆୟୋଜନ କରାଯିବ। ଏହି ସ୍ପେଶାଲ୍ ଡ୍ରିଲ୍ ମାଧ୍ୟମରେ ପରୀକ୍ଷା କେନ୍ଦ୍ରଗୁଡ଼ିକର ସୁରକ୍ଷା ଓ ସିସିଟିଭି ବ୍ୟବସ୍ଥାର ତଦାରଖ କରାଯିବ।
ସକାଳ ୯ଟାରୁ ଆରମ୍ଭ ହେବ ମକ୍ ଡ୍ରିଲ୍
ମିଳିଥିବା ସୂଚନା ଅନୁଯାୟୀ, ଶନିବାର ସକାଳ ୯ଟାରୁ ଏହି ମକ୍ ଡ୍ରିଲ୍ ଆରମ୍ଭ ହୋଇ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିବ। ପରୀକ୍ଷା ଦିନ ଯେମିତି କୌଣସି ପ୍ରକାର ତ୍ରୁଟି କିମ୍ବା ସୁରକ୍ଷାରେ ଅବହେଳା ନହୁଏ, ସେଥିପାଇଁ ବିଭିନ୍ନ ସରକାରୀ ଏଜେନ୍ସି ଏବଂ ପରୀକ୍ଷା କେନ୍ଦ୍ରଗୁଡ଼ିକ ମଧ୍ୟରେ ତାଳମେଳର ସମୀକ୍ଷା କରାଯିବ। ସାରା ଦେଶର ଅଭିଯାନରେ ପ୍ରାୟ ୨.୫ ଲକ୍ଷରୁ ଅଧିକ ସୁରକ୍ଷାକର୍ମୀ ସାମିଲ ହେବେ।
୩ ସ୍ତରୀୟ ସୁରକ୍ଷା ଏବଂ ସିସିଟିଭି ନଜର
ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ସାରା ଦେଶର ସମସ୍ତ ପରୀକ୍ଷା କେନ୍ଦ୍ରକୁ ନିଜ ନିୟନ୍ତ୍ରଣକୁ ନେଇସାରିଛି। ପରୀକ୍ଷା ଦିନ କେନ୍ଦ୍ରଗୁଡ଼ିକରେ ୩ ସ୍ତରୀୟ କଡ଼ା ସୁରକ୍ଷା ବ୍ୟବସ୍ଥା ରହିବ। ପ୍ରଶ୍ନପତ୍ର ଏବଂ ଉତ୍ତରଖାତାର ସୁରକ୍ଷା ଦାୟିତ୍ୱ ଅର୍ଦ୍ଧସାମରିକ ବାହିନୀକୁ ଦିଆଯାଇଛି। ଦେଶର ୫,୦୦୦ରୁ ଅଧିକ କେନ୍ଦ୍ରରେ ଲାଇଭ୍ ସିସିଟିଭି ଫିଡ୍ ଜରିଆରେ ଏନଟିଏ ସିଧାସଳଖ ନଜର ରଖିବ। ଏହା ସହିତ ଗୁଜବ ରୋକିବା ପାଇଁ ସୋସିଆଲ ମିଡିଆ ଉପରେ ନଜର ରଖିବାକୁ ଏକ ସ୍ୱତନ୍ତ୍ର ସେଲ୍ ମଧ୍ୟ ଗଠନ କରାଯାଇଛି।
୨୨ ଲକ୍ଷ ଛାତ୍ରଛାତ୍ରୀ ଦେବେ ପରୀକ୍ଷା
ଚଳିତ NEET-UG ପୁନଃ ପରୀକ୍ଷା ପାଇଁ ପ୍ରାୟ ୨୨ ଲକ୍ଷ ପରୀକ୍ଷାର୍ଥୀ ପଞ୍ଜୀକରଣ କରିଛନ୍ତି, ଯେଉଁମାନଙ୍କ ମଧ୍ୟରୁ ପ୍ରାୟ ୧୮ ଲକ୍ଷ ଛାତ୍ରଛାତ୍ରୀ ନିଜର ଆଡମିଟ୍ କାର୍ଡ ଡାଉନଲୋଡ୍ କରିସାରିଛନ୍ତି। ଜିଲ୍ଲା ପ୍ରଶାସନ ସମେତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଏହି ପରୀକ୍ଷା ପ୍ରକ୍ରିୟାର ତଦାରଖ କରୁଛନ୍ତି।
ବାୟୋମେଟ୍ରିକ୍ ଫେଲ୍ ହେଲେ ବି ମିଳିବ ଏଣ୍ଟ୍ରି
ପରୀକ୍ଷାର୍ଥୀଙ୍କ ପାଇଁ ଏନଟିଏ ଏକ ବଡ଼ ଆଶ୍ୱସ୍ତିକର ଖବର ଦେଇଛି। ଯଦି କୌଣସି ବୈଷୟିକ ତ୍ରୁଟି, କାହାର ଆଙ୍ଗୁଠି ଚିହ୍ନ ସ୍ପଷ୍ଟ ନଆସିବା, ସର୍ଭର ସମସ୍ୟା କିମ୍ବା ଶାରୀରିକ କାରଣରୁ କୌଣସି ପରୀକ୍ଷାର୍ଥୀଙ୍କ ବାୟୋମେଟ୍ରିକ୍ ଭେରିଫିକେସନ ହୋଇପାରିବ ନାହିଁ, ତେବେ ମଧ୍ୟ ସେମାନଙ୍କୁ ପରୀକ୍ଷାରୁ ବଞ୍ଚିତ କରାଯିବ ନାହିଁ। ବିକଳ୍ପ ଯାଞ୍ଚ ମାଧ୍ୟମରେ ସେମାନଙ୍କୁ ପରୀକ୍ଷା କେନ୍ଦ୍ର ଭିତରକୁ ପ୍ରବେଶ ଅନୁମତି ଦିଆଯିବ।