ୱାଶିଂଟନ/ତେହେରାନ: ଦୀର୍ଘ ମାସର ତିକ୍ତତା ଓ ସଂଘର୍ଷ ପରେ ଶେଷରେ ଇରାନ ଏବଂ ଆମେରିକା ମଧ୍ୟରେ ଏକ ସେନାଧ୍ୟକ୍ଷ ସ୍ତରୀୟ ତଥା କୂଟନୈତିକ ସଫଳତା ମିଳିଛି। ଉଭୟ ଦେଶ ମଧ୍ୟରେ ଏକ ଐତିହାସିକ ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇରାନ ରାଷ୍ଟ୍ରପତି ମସୁଦ ପେଜେଶ୍କିଆନ ଡିଜିଟାଲ ମାଧ୍ୟମରେ ଏହି 'ଇରାନ-ଆମେରିକା ବୁଝାମଣାପତ୍ର' (MoU) ଉପରେ ମୋହର ମାରିଛନ୍ତି। ଏହି ମହା-ସମ୍ପର୍କ ପରେ ଏବେ ଇରାନ ପକ୍ଷରୁ ପ୍ରଥମ ବୟାନ ସାମ୍ନାକୁ ଆସିଛି।
ଇରାନର ସରକାରୀ ସମ୍ବାଦ ସଂସ୍ଥା 'ଇରନା'ଅନୁଯାୟୀ, ଇରାନ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଇସମାଇଲ ବଘାଇ କହିଛନ୍ତି, ଉଭୟ ଦେଶର ରାଷ୍ଟ୍ରପତିଙ୍କ ସ୍ୱାକ୍ଷର ସହିତ ଇସଲାମାବାଦ ଚୁକ୍ତିର ଚିଠାକୁ ଚୂଡ଼ାନ୍ତ ରୂପ ଦିଆଯାଇଛି। ଚୁକ୍ତି ତ ହୋଇଗଲା, ହେଲେ ଏବେ ପ୍ରକୃତ ସମୟ ଆସିଛି ଏହା ଦେଖିବା ପାଇଁ ଯେ ଏହି ଚୁକ୍ତି କିଭଳି ଭାବେ କାର୍ଯ୍ୟକାରୀ କରାଯାଉଛି।
ଅପରପକ୍ଷରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫ୍ରାନ୍ସରେ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ଉପସ୍ଥିତିରେ ଏହି ଏମଓୟୁ ସ୍ୱାକ୍ଷର କରିଛନ୍ତି। ବୁଧବାର ଏହି ଚୁକ୍ତିନାମାକୁ ଏକ ବଡ଼ ଐତିହାସିକ ସଫଳତା ବୋଲି ଅଭିହିତ କରିଛନ୍ତି ଟ୍ରମ୍ପ। ସେ କହିଛନ୍ତି ଯେ, ଏହି ଚୁକ୍ତି ଦ୍ୱାରା ଦୁଇ ଦେଶ ମଧ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ଘଟିବ, 'ଷ୍ଟ୍ରେଟ୍ ଅଫ୍ ହୋର୍ମୁଜ୍' ବାଣିଜ୍ୟ ପାଇଁ ପୁଣି ଥରେ ଖୋଲିବ ଏବଂ ଇରାନ କେବେ ବି ପରମାଣୁ ଅସ୍ତ୍ର ହାସଲ କରିପାରିବ ନାହିଁ ବୋଲି ସୁନିଶ୍ଚିତ ହୋଇଛି।
ଆମେରିକୀୟ ରାଷ୍ଟ୍ରପତି ସୂଚନା ଦେଇ କହିଛନ୍ତି, ଜୁନ୍ ୧୪ ଆମେ ଇରାନ ସହିତ ଏକ ବଡ଼ ବୁଝାମଣା କରିଛୁ, ଯାହା ଦ୍ୱାରା ଆମେ ଚାହୁଁଥିବା ସମସ୍ତ ଲକ୍ଷ୍ୟ ପୂରଣ ହୋଇଛି। ସଂଘର୍ଷ ବନ୍ଦ କରିବା, ଷ୍ଟ୍ରେଟ୍ ଅଫ୍ ହୋର୍ମୁଜ୍କୁ ପୁନଃକାର୍ଯ୍ୟକ୍ଷମ କରିବା ଏବଂ ଇରାନକୁ ପରମାଣୁ ବୋମା ତିଆରି କରିବାରୁ ରୋକିବା ହିଁ ଏହି ଚୁକ୍ତିର ମୂଳ ଉଦ୍ଦେଶ୍ୟ ଥିଲା।
Also Read: 'ଗୁଳି ମାରିଦିଅ ପଛେ, ଏଠାରୁ ହଟିବୁନି': ଖାନ୍ ସାର୍ଙ୍କ ବିରୋଧରେ FIR ପାଇଁ ଥାନା ଆଗରେ ଧାରଣାରେ ବସିଲେ ରୌଶନ ଆନନ୍ଦ