କେନ୍ଦ୍ରାପଡ଼ା: ମହାକାଳପଡ଼ାର ଚର୍ଚ୍ଚିତ ତିଖିରି ସରପଞ୍ଚଙ୍କୁ ନେଇ ଆରମ୍ଭ ହୋଇଥିବା ବିବାଦ ଥମିବାର ନାଁ ଧରୁ ନାହିଁ । ଏହାରି ମଧ୍ୟରେ ମହାକାଳପଡ଼ା ବିଡ଼ିଓ ମୁହଁ ଖୋଲିଛନ୍ତି । ସେଦିନି କାର୍ଯ୍ୟାଳୟରେ କଣ ଘଟିଥିଲା ତାହା କହିଛନ୍ତି ବିଡ଼ିଓ ରବିନାରାୟଣ ଆଚାର୍ଯ୍ୟ କହିଛନ୍ତି ।
ବିଡ଼ିଓ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଜୁନ ୧୧ ତାରିଖରେ ଦୁଇ ଜଣ ସରପଞ୍ଚ ଓ ପଞ୍ଚାୟତ ଉପାଧ୍ୟକ୍ଷଙ୍କ ସହିତ ସେ ଆଲୋଚନା କରୁଥିଲେ । ଏହି ସମୟରେ ତିଖିରି ସରପଞ୍ଚ ବିଡ଼ିଓଙ୍କ କାର୍ଯ୍ୟାଳୟ ଭିତରେ ପଶି ତାଙ୍କର ପ୍ରସ୍ତାବ ରଖିଥିଲେ ଏବଂ ସରପଞ୍ଚଙ୍କ ସହିତ ଆସିଥିବା ଆଉ ଦୁଇ ଜଣ ବ୍ୟକ୍ତି ବିନା ଅନୁମତିରେ ହଠାତ୍ ପଶିଆସି ଭିଡ଼ିଓ ଉତ୍ତୋଳନ କରିଥିଲେ । ଯାହାକୁ ବିଡ଼ିଓ ବାରଣ କରିଥିଲେ । କିନ୍ତୁ ଭିଡ଼ିଓ ବନେଇବା ତାଙ୍କର ଅଧିକାର ବୋଲି ତିଖିରି ସରପଞ୍ଚ ଯୁକ୍ତି କରିଥିଲେ । ବିଡ଼ିଓଙ୍କ ସହିତ ଯୁକ୍ତି ତର୍କ ହେବା ସହିତ ସେଠାରେ ବସିଥିବା ଅନ୍ୟ ଏକ ଗୋଷ୍ଠୀ ସହିତ ତାଙ୍କର ବଚସା ହୋଇଥିବା । ଯାହା ଫଳରେ ବିଡ଼ିଓ ନିଜ ଚ୍ୟାମ୍ବର ଛାଡ଼ି ଚାଲିଯାଇଥିଲେ ଏବଂ ପୋଲିସକୁ ସୂଚନା ଦେଇଥିଲେ ।
ଯେଉଁ ବକେୟା ବିଲକୁ ନେଇ ଚାମେଲି ଏତେ ତୁମ୍ବି ତୋଫାନ କଲେ ସେମିତି କିଛି ବିଲ୍ ବାକି ନ ଥିବା ବିଡ଼ିଓ କହିଛନ୍ତି । ବ୍ଲକ୍ କାର୍ଯ୍ୟାଳୟରେ ମାତ୍ର ଗୋଟିଏ ବିଲ୍ ବାକି ଥିଲେ । ତାଙ୍କର ୧ ଲକ୍ଷ ୧୯ ହଜାର ୫୦୦ ଟଙ୍କାର ବିଲ୍ ବକେୟା ଥିଲା । ମେ ୨ରେ ବିଲ୍ ଉପସ୍ଥାପନ କରାଯାଇଥିଲା । ଏସ୍ଆଇଆର୍ କାର୍ଯ୍ୟ ଜାରି ରହିଥିବାରୁ ସେ ଧ୍ୟାନ ଦେଇପାରି ନଥିଲେ । ଜୁନ୍ ୫ ତାରିଖରେ ତିଖିରି ସରପଞ୍ଚ ପୁଣି ଥରେ କହିବା ପରେ ବିଡ଼ିଓ ନିଜେ ଜୁନ୍ ୮ ତାରିଖରେ କ୍ଷେତ୍ର ପରିଦର୍ଶନ କରି କାମ ଦେଖିଥିଲେ । ଜୁନ୍ ୧୦ ତାରିଖରେ ବିଲ୍ ମଞ୍ଜୁର କରାଯାଇଥିବା ସ୍ପଷ୍ଟ ଭାବରେ କହିଛନ୍ତି ବିଡ଼ିଓ ।
କିନ୍ତୁ ଏହି ମାମଲା ବହୁତ ଆଗକୁ ବଢ଼ିଯାଇଛି । ତୁରନ୍ତ ଏହାର ସମାଧାନ କରାଯାଇ ବ୍ଲକ୍ କାର୍ଯ୍ୟ ସ୍ୱାଭାବିକ ହେଉ ବୋଲି ବିଡ଼ିଓ କହିଛନ୍ତି ।