ଭୁବନେଶ୍ୱର: ରାଜ୍ୟରେ ଜାରି ରହିଥିବା ଅସହ୍ୟ ଗରମ ଓ ଗୁଳୁଗୁଳି ମଧ୍ୟରେ ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ବଡ଼ ଖବର। ରଜ ଛୁଟି ପରେ ଆଜିଠାରୁ ସ୍କୁଲ ଖୋଲିବାକୁ ପୂର୍ବରୁ ଘୋଷଣା ହୋଇଥିଲେ ମଧ୍ୟ, ପାଗର ପ୍ରତିକୂଳ ସ୍ଥିତିକୁ ଦୃଷ୍ଟିରେ ରଖି ୭ଟି ଜିଲ୍ଲାରେ ସ୍କୁଲ ଛୁଟି ଅଧିକ ଦିନ ପାଇଁ ବଢ଼ାଇ ଦିଆଯାଇଛି।
ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଅନୁଗୁଳ, ସୋନପୁର, ଗଞ୍ଜାମ, ବୌଦ୍ଧ, ବରଗଡ଼ ସମେତ ମୋଟ ୭ଟି ଜିଲ୍ଲାରେ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲକୁ ଆସନ୍ତା ୨୦ ଜୁନ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି ହୋଇଛି। ମଝିରେ ରବିବାର ଥିବାରୁ ୨୨ ଜୁନରୁ ପୁଣିଥରେ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି।
କେବଳ ସ୍କୁଲ ନୁହେଁ, କେତେକ ଜିଲ୍ଲାରେ କଲେଜ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ମଧ୍ୟ ୨୦ ଜୁନ ପର୍ଯ୍ୟନ୍ତ ବନ୍ଦ ରଖାଯିବ। ପ୍ରବଳ ତାତି ଓ ହିଟ୍ୱେଭ୍ ସ୍ଥିତି ଯୋଗୁଁ ଛୋଟ ପିଲାମାନେ ଅସୁସ୍ଥ ହେବାର ଆଶଙ୍କା ଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି।
ଅନ୍ୟପଟେ ନୂଆପଡ଼ା ଜିଲ୍ଲା ପ୍ରଶାସନ ଏକ ଭିନ୍ନ ନିଷ୍ପତ୍ତି ନେଇଛି। ଜିଲ୍ଲାରେ ୧୮ରୁ ୨୦ ଜୁନ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ ଚାଲିବ। ସକାଳ ୬ଟା ୩୦ରୁ ୧୧ଟା ୩୦ ପର୍ଯ୍ୟନ୍ତ ପାଠପଢ଼ା ହେବାକୁ ନିର୍ଦ୍ଦେଶ ଦିଆଯାଇଛି, ଯାହାଦ୍ୱାରା ଦିନର ପ୍ରବଳ ଖରାରୁ ଛାତ୍ରଛାତ୍ରୀମାନେ ରକ୍ଷା ପାଇପାରିବେ।
ଉଲ୍ଲେଖଯୋଗ୍ୟ, ରାଜ୍ୟ ସରକାର ଚଳିତ ବର୍ଷ ମେ’ ୧୨ରୁ ଜୁନ୍ ୧୮ ପର୍ଯ୍ୟନ୍ତ ଗ୍ରୀଷ୍ମ ଛୁଟି ଘୋଷଣା କରିଥିଲେ। କିନ୍ତୁ ଗରମର ପ୍ରକୋପ କମିନଥିବାରୁ କେତେକ ଜିଲ୍ଲାରେ ଛୁଟି ଅବଧିକୁ ଆହୁରି ବଢ଼ାଯାଇଛି। ଏହାକୁ ନେଇ ଅଭିଭାବକମାନଙ୍କ ମଧ୍ୟରେ ଆଶ୍ୱସ୍ତି ଦେଖାଦେଇଥିବା ବେଳେ ଛାତ୍ରଛାତ୍ରୀମାନେ ଆଉ କିଛି ଦିନ ଛୁଟିର ମଜା ନେବାକୁ ଯାଉଛନ୍ତି।