ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରକାଶିତ ସ୍କୁଲ ପାଠ୍ୟପୁସ୍ତକରେ ତ୍ରୁଟି ଧରାପଡ଼ିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏନେଇ କଠୋର ପଦକ୍ଷେପ ନେଇଛନ୍ତି। ବୁଧବାର ଲୋକସେବା ଭବନରେ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ସେ ସମସ୍ତ ତ୍ରୁଟିର ତୁରନ୍ତ ସଂଶୋଧନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଭର୍ଚୁଆଲ ମାଧ୍ୟମରେ ହୋଇଥିବା ଏହି ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏବଂ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ। ପାଠ୍ୟପୁସ୍ତକରେ ହୋଇଥିବା ଭୁଲ ପାଇଁ କିଏ ଦାୟୀ, ତାହା ଚିହ୍ନଟ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ଏଥିପାଇଁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ତିନି ସଦସ୍ୟ ବିଶିଷ୍ଟ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ଏହି କମିଟି ପାଠ୍ୟପୁସ୍ତକ ତ୍ରୁଟି ପାଇଁ ଦାୟୀ ଅଧିକାରୀ କିମ୍ବା ସଂସ୍ଥାଙ୍କୁ ଚିହ୍ନଟ କରି ୭ ଦିନ ମଧ୍ୟରେ ସରକାରଙ୍କୁ ରିପୋର୍ଟ ଦେବ। ରିପୋର୍ଟ ଆଧାରରେ ଦୋଷୀଙ୍କ ବିରୋଧରେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପାଠ୍ୟପୁସ୍ତକରେ ଏଭଳି ତ୍ରୁଟି ଶିକ୍ଷା ବ୍ୟବସ୍ଥାର ବିଶ୍ୱସନୀୟତା ଉପରେ ପ୍ରଶ୍ନ ସୃଷ୍ଟି କରେ। ତେଣୁ ଆଗାମୀ ଦିନରେ ପ୍ରକାଶିତ ହେଉଥିବା ସମସ୍ତ ପୁସ୍ତକରେ ଯେପରି କୌଣସି ଭୁଲ ନରହେ, ସେଥିପାଇଁ କଡ଼ା ଯାଞ୍ଚ ବ୍ୟବସ୍ଥା କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ପାଠ୍ୟପୁସ୍ତକ ପ୍ରସ୍ତୁତି ପ୍ରକ୍ରିୟାର ସମ୍ପୂର୍ଣ୍ଣ ସମୀକ୍ଷା କରି ଗୁଣାତ୍ମକ ମାନଦଣ୍ଡକୁ ଆହୁରି ସୁଦୃଢ଼ କରିବା ପାଇଁ ମଧ୍ୟ ସରକାର ପଦକ୍ଷେପ ନେବେ।