ରାଇରଙ୍ଗପୁର: ମୟୂରଭଞ୍ଜର ରାଇରଙ୍ଗପୁର ଆସନ୍ତା ୨୦ ତାରିଖରେ ଦେଶର ରାଜନୈତିକ ଓ ପ୍ରଶାସନିକ ମାନଚିତ୍ରରେ ଏକ ବିଶେଷ ସ୍ଥାନ ଅଧିକାର କରିବାକୁ ଯାଉଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକାଠି ମଞ୍ଚ ସେୟାର କରିବାକୁ ଥିବାବେଳେ, ଏହି ଗସ୍ତକୁ ନେଇ ରାଜ୍ୟ ସରକାର ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ଗସ୍ତର ସମସ୍ତ କାର୍ଯ୍ୟକ୍ରମକୁ ସୁଚାରୁ ଓ ସୁରକ୍ଷିତ ଭାବେ ପରିଚାଳନା କରିବା ପାଇଁ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ମୁଖ୍ୟ ସଚିବ, ପୁଲିସ ମହାନିର୍ଦ୍ଦେଶକ ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇ ସୁରକ୍ଷା ଓ ପରିଚାଳନା ଯୋଜନା ଉପରେ ଆଲୋଚନା କରିଥିଲେ।
ଆସନ୍ତା ୧୯ ତାରିଖରେ ରାଷ୍ଟ୍ରପତି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ୨୦ ତାରିଖରେ ନିଜ ଜନ୍ମଦିନ ଅବସରରେ ସେ ନିଜ ଜନ୍ମଭୂମି ଓ ପ୍ରଥମ କର୍ମଭୂମି ରାଇରଙ୍ଗପୁରରେ ଉପସ୍ଥିତ ରହିବେ। ଏହି ଅବସରକୁ ଆହୁରି ସ୍ମରଣୀୟ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ରାଇରଙ୍ଗପୁର ପହଞ୍ଚିବେ ଏବଂ ଏକ ବିଶାଳ ଜନସଭାକୁ ସମ୍ବୋଧନ କରିବେ।
ଏହି ଗସ୍ତ କେବଳ ଏକ ଔପଚାରିକ କାର୍ଯ୍ୟକ୍ରମ ନୁହେଁ, ବରଂ ଓଡ଼ିଶାର ବିକାଶ ଯାତ୍ରାରେ ଏକ ନୂଆ ଅଧ୍ୟାୟ ଯୋଡ଼ିବ ବୋଲି ଆଶା କରାଯାଉଛି। ଉଭୟ ନେତା ମିଳିତ ଭାବେ ଓଡ଼ିଶା ଓ ମୟୂରଭଞ୍ଜ ପାଇଁ ହଜାର ହଜାର କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ। ବହୁ ପ୍ରତୀକ୍ଷିତ ରେଳ ପ୍ରକଳ୍ପ ସହ ମେଗା କୋଲ୍ ଗ୍ୟାସିଫିକେସନ ପ୍ରକଳ୍ପର ଉଦ୍ଘାଟନ ମଧ୍ୟ ଏହି ଗସ୍ତର ପ୍ରମୁଖ ଆକର୍ଷଣ ହେବ। ରାଷ୍ଟ୍ରପତିଙ୍କ ଜନ୍ମମାଟିରେ ଦେଶର ଦୁଇ ସର୍ବୋଚ୍ଚ ନେତୃତ୍ୱଙ୍କ ଉପସ୍ଥିତିକୁ ନେଇ ଏବେ ସମଗ୍ର ମୟୂରଭଞ୍ଜରେ ଉତ୍ସାହର ମାହୋଲ ଦେଖିବାକୁ ମିଳୁଛି।