ବଲାଙ୍ଗିର: ରାଜ୍ୟସ୍ତରୀୟ ପେନକାକ୍ ସିଲାଟ ଚମ୍ପିଆନସିପ୍ରେ ବଲାଙ୍ଗିରର ଯୁବ ଖେଳାଳିମାନେ ନିଜ ପ୍ରତିଭାର ଚମତ୍କାର ପ୍ରଦର୍ଶନ କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ଖୋର୍ଦ୍ଧାସ୍ଥିତ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ନବମ ଓଡ଼ିଶା ପେନକାକ୍ ସିଲାଟ ଚମ୍ପିଆନସିପ୍-୨୦୨୬ରେ ବଲାଙ୍ଗିର ପେନକାକ୍ ସିଲାଟ ଆସୋସିଏସନ୍ର ୧୦ ଜଣ ଖେଳାଳି ଅଂଶଗ୍ରହଣ କରି ମୋଟ ୧୪ଟି ପଦକ ହାସଲ କରିଛନ୍ତି।
ତିନି ଦିନ ଧରି ଚାଲିଥିବା ଏହି ଚମ୍ପିଆନସିପ୍ରେ ଓଡ଼ିଶାର ୧୮ଟି ଜିଲ୍ଲାରୁ ପ୍ରାୟ ୫୦୦ ଜଣ ବାଳକ ଓ ବାଳିକା ଭାଗ ନେଇଥିଲେ। କଠିନ ପ୍ରତିଦ୍ୱନ୍ଦ୍ୱିତା ମଧ୍ୟରେ ବଲାଙ୍ଗିର ଖେଳାଳିମାନେ ନିଜ ଦକ୍ଷତାର ପରିଚୟ ଦେଇ ଅନେକ ପଦକ ହାସଲ କରିଛନ୍ତି।
ଏହି ପ୍ରତିଯୋଗିତାରେ ଖୁସିରାମ ସେଠ୍ ତୁଙ୍ଗଲ ଓ ଟେଣ୍ଡିଙ୍ଗ ବିଭାଗରେ ଦୁଇଟି ସ୍ୱର୍ଣ୍ଣ ପଦକ ଜିତି ଦଳର ସର୍ବୋତ୍କୃଷ୍ଟ ପ୍ରଦର୍ଶନକାରୀ ଭାବେ ଉଭା ହୋଇଥିଲେ। ସେହିପରି ରାଜଲକ୍ଷ୍ମୀ ଦାସ ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ବ୍ରୋଞ୍ଜ ପଦକ ହାସଲ କରିଥିବା ବେଳେ ଦେବାଂଶୀ ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ଜିତିଥିଲେ।ଅନ୍ୟପଟେ ସୋମ ନାରାୟଣ ଦୀପ ଦୁଇଟି ବ୍ରୋଞ୍ଜ ପଦକ ଜିତିଥିବା ବେଳେ ଅଭିନାଶ ମଲ୍ଲିକ ଓ ସିଜଲ ପାଣିଗ୍ରାହୀ ଟ୍ରେ ବିଭାଗରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ।
ବଲାଙ୍ଗିର ଖେଳାଳିଙ୍କ ଏହି ସଫଳତା ପାଇଁ ଜିଲ୍ଲାପାଳ ଶୁଭେଚ୍ଛା ଜଣାଇବା ସହ ଭବିଷ୍ୟତରେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଆହୁରି ଉଜ୍ଜ୍ୱଳ ପ୍ରଦର୍ଶନ କରିବେ ବୋଲି ଆଶା ପ୍ରକାଶ କରିଛନ୍ତି। ବଲାଙ୍ଗିରର ଏହି କୃତି ଏବେ ଜିଲ୍ଲାବାସୀଙ୍କ ପାଇଁ ଗର୍ବର ବିଷୟ ପାଲଟିଛି।