କଟକ: ବଡ଼ମାନଙ୍କ ଶତ୍ରୁତାରେ ବଳି ପଡ଼ିଗଲା ନିଷ୍ପାପ ନିରୀହ ଶିଶୁ । ଯିଏ ହାତରେ ଖାଇ ଶିଖି ନ ଥିଲା ତା ଖାଇବାରେ ଦେଇ ଦେଲେ ବିଷ । ଶେଷରେ ୨୫ ଦିନର ସଂଗ୍ରାମ ପରେ ହାରିଯାଇଛି କଅଁଳ ଶିଶୁର ଜୀବନ । ସେପଟେ କାନି ପତେଇ ଛୁଆକୁ ଫେରାଇ ଦେବାକୁ ବାହୁନି ବାହୁନି କାନ୍ଦୁଛି ମାଆ । କଟକ ଜିଲ୍ଲା ସାଲେପୁର ବ୍ଲକର ସିଶୁଆ-ବାହାବଳପୁର ଗ୍ରାମରୁ ଆସିଛି ଏଭଳି ହୃଦୟ ବିଦାରକ ଦୃଶ୍ୟ । ରୋହିତ ମଲ୍ଲିକଙ୍କ ୫ ବର୍ଷର ପୁଅ ଦିବ୍ୟରଞ୍ଜନ ମଲ୍ଲିକ ଓରଫ୍ ରିଶି କଟକ ଶିଶୁ ଭବନରେ ପ୍ରାଣ ହରାଇଛନ୍ତି ।
ସାଲେପୁର ବ୍ଲକ ସିଶୁଆ-ବାହାବଳପୁର ଗ୍ରାମର ରୋହିତ ମଲ୍ଲିକଙ୍କର ପଡ଼ୋଶୀ ପ୍ରକାଶ କୁମାର ନାୟକଙ୍କ ପରିବାର ସହିତ ଜମିବାଡ଼ିକୁ ନେଇ ବିବାଦ ରହିଥିଲା । ଦୀର୍ଘ ଦିନରୁ ଉଭୟଙ୍କ ମଧ୍ୟରେ ଶତ୍ରୁତା ରହିଥିଲା। ଏପରିକି ପ୍ରକାଶ ମଧ୍ୟ ଦିନେ ରୋହିତଙ୍କ ଘରକୁ ପୋଡ଼ି ଦେଇଥିଲେ । ତଥାପି ତାଙ୍କ ମନର କ୍ରୋଧ ଶାନ୍ତ ହୋଇନଥିଲା । ବାରମ୍ବାର ରୋହିତଙ୍କ ପୁଅ ରିଶିକୁ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଉଥିଲେ ।
ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ମେ ୨୨ ତାରିଖରେ ରିଶି ବାଡ଼ିପଛ ପଟେ ଆମ୍ବ ଗୋଟାଉଥିବାବେଳେ ପ୍ରକାଶ ଡାକିଥିଲେ । ଘରେ ମା' ଅସୁସ୍ଥ ଥିବା ସୁଯୋଗ ନେଇ ପଡ଼ୋଶୀ ପ୍ରକାଶ ରୋହିତଙ୍କ ପୁଅକୁ ଡାକିକି ନେଇଥିଲେ । ଭୁଲେଇକି ନେଇ ମିଠା ଖାଇବାକୁ ଦେଇଥିଲେ । ମିଠା ଖାଇବାର କିଛି ସମୟ ପରେ ଅସୁସ୍ଥ ହୋଇପଡ଼ିଥିଲା କୁନି ପୁଅଟି। ପେଟରେ ଯନ୍ତ୍ରଣା ଏବଂ ବାନ୍ତି ହେବାରୁ ପ୍ରଥମେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହା ପରେ ତାକୁ ପରିବାର ଲୋକେ ଘରକୁ ନେଇ ଆସିଥିଲେ । ପରେ ରିଶିଙ୍କ ମୁହଁ ନୀଳ ପଡ଼ିବା ସହିତ ଆହୁରି ଅସୁସ୍ଥ ହୋଇପଡ଼ିଥିଲେ । ପରିବାର ଲୋକେ ତାଙ୍କୁ ତୁରନ୍ତ ସାଲେପୁର ମେଡ଼ିକାଲରେ ଭର୍ତ୍ତି କରିଥିଲେ ଏବଂ ପରେ କଟକ ଶିଶୁଭବନକୁ ସ୍ଥାନାନ୍ତର କରାଯାଇଥିଲା । ଗତ ମେ ୩୦ ତାରିଖରେ ମା ଯେତେବେଳେ ରିଶିକୁ ପଚାରିଥିଲେ ସେ ମିଠା ଖାଇଥିବା କହିଥିଲେ । ପ୍ରକାଶ ନାୟକ ତାଙ୍କୁ ପାଞ୍ଚଟି ଧଳା ମିଠା ଖାଇବାକୁ ଦେଇଥିବା ରିଶି ହସ୍ପିଟାଲ ବେଡରେ ମାଆକୁ କହିଥିଲା ।
କିନ୍ତୁ ଦୀର୍ଘ ୨୫ ଦିନ ଧରି ଜୀବନ ସହ ଲଢ଼େଇ କରିବା ପରେ ଶେଷରେ ହାରିଗଲା ଶିଶୁଟି। ଘରର ହସ ହଠାତ୍ ଶୋକରେ ପରିଣତ ହୋଇଗଲା। ଅସୁସ୍ଥ ଅବସ୍ଥାରେ ଶିଶୁଟି ନିଜେ ପଡ଼ୋଶୀ ଦେଇଥିବା ମିଠା ଖାଇଥିବା କଥା କହିଥିଲା। ପଡ଼ୋଶୀ ପ୍ରକାଶ ମିଠାରେ ବିଷ ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏ ନେ ନେଇ ପରିବାର ଲୋକେ ପଡ଼ୋଶୀଙ୍କ ନାଁରେ ଥାନାରେ ଏଫଆଇଆର ଦେଇଛନ୍ତି । ହେଲେ ଏଯାଏଁ ଗିରଫଦାରୀ ନ ହେବାରୁ ପରିବାର ଲୋକେ କ୍ଷୋଭ ପ୍ରକାଶ କରିଛନ୍ତି।
ପରିବାରର ଆଉ ଏକ ସଙ୍ଗୀନ ଅଭିଯୋଗ, ପୂର୍ବରୁ ମଧ୍ୟ ସମ୍ପୃକ୍ତ ବ୍ୟକ୍ତି ତାଙ୍କ ଘରେ ନିଆଁ ଲଗାଇଥିଲେ। ଦୀର୍ଘଦିନ ଧରି ହଇରାଣ କରାଯାଉଥିଲା। ଆଉ ଏବେ ସେହି ଶତ୍ରୁତାର ଶେଷ ମୂଲ୍ୟ ଦେଇଛି ଜଣେ ନିରୀହ ଶିଶୁ।