ନୟାଗଡ଼ ଜିଲ୍ଲା ଦଶପଲ୍ଲାରେ ଶୁକ୍ରବାର ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଦଶପଲ୍ଲା ବ୍ଲକ୍ ଉନ୍ନୟନ ଅଧିକାରୀ (ବିଡିଓ) ଶରତ କୁମାର ମଲ୍ଲିକଙ୍କ ସରକାରୀ ଗାଡ଼ି ଉପରେ ଦୁର୍ବୃତ୍ତମାନେ ପଥର ମାଡ଼ କରିଛନ୍ତି। ଏହି ଆକ୍ରମଣରେ ଗାଡ଼ିର ସାମ୍ନା କାଚ ଭାଙ୍ଗି ଯାଇଥିବାବେଳେ ଡ୍ରାଇଭର ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, ବିଡିଓ ଶ୍ରୀ ମଲ୍ଲିକ ନଛିପୁର ପଞ୍ଚାୟତରେ ଏକାଧିକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇ ଫେରୁଥିଲେ। ସେହି ସମୟରେ ନଛିପୁର ଗାଁ ନିକଟରେ ଦୁଇଜଣ ଦୁର୍ବୃତ୍ତ ବାଇକ୍ରେ ଆସି ହଠାତ୍ ତାଙ୍କ ଗାଡ଼ିକୁ ଟାର୍ଗେଟ୍ କରି ପଥର ଫିଙ୍ଗିଥିଲେ। ଏଥିରେ ଗାଡ଼ିର ସାମ୍ନା କାଚ ଚୂରମାର ହୋଇଯାଇଥିଲା।
ପଥର ମାଡ଼ ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ତେବେ ଉପସ୍ଥିତ ବୁଦ୍ଧି ଖଟାଇ ଡ୍ରାଇଭର ଗାଡ଼ିକୁ ତୁରନ୍ତ ଅଟକାଇ ଦେବାରୁ ଏକ ବଡ଼ ଦୁର୍ଘଟଣା ଟଳିଯାଇଥିଲା। ବିଡିଓ ଶରତ କୁମାର ମଲ୍ଲିକ ସୁରକ୍ଷିତ ଥିବାବେଳେ ଡ୍ରାଇଭର ଆହତ ହୋଇଥିବା ଜଣାପଡ଼ିଛି।
ଘଟଣା ପରେ ବିଡିଓ ଦଶପଲ୍ଲା ଥାନାରେ ଏତଲା ଦେଇଛନ୍ତି। ପୋଲିସ ମାମଲା ରୁଜୁ କରି ଆକ୍ରମଣକାରୀଙ୍କ ଖୋଜାଖୋଜି ଆରମ୍ଭ କରିଛି। କେଉଁ କାରଣରୁ ବିଡିଓଙ୍କ ଗାଡ଼ିକୁ ଟାର୍ଗେଟ୍ କରାଗଲା, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତେବେ ଜଣେ ସରକାରୀ ଅଧିକାରୀଙ୍କ ଗାଡ଼ି ଉପରେ ଏଭଳି ଆକ୍ରମଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ବଢ଼ିଛି।