ଭୁବନେଶ୍ୱର: ରାଜ୍ୟ ପ୍ରଶାସନରରୁ ହଠାତ୍ ଗାଏବ ହୋଇଯାଇଛି ଦୁଇଟି ଗୁରୁତ୍ୱପୂର୍ଣ୍ଣ ଫାଇଲ୍। ଆଉ ଏହି ଘଟଣା ଏବେ ନେଇଛି ଆପରାଧିକ ତଦନ୍ତର ରୂପ। ତଦନ୍ତ କମିସନ ସମ୍ବନ୍ଧୀୟ ଫାଇଲ୍ ହଜିବା ମାମଲାରେ କ୍ୟାପିଟାଲ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ, ପୁଲିସ କମିସନରଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ କରାଯାଇଛି।
ଗୃହ ବିଭାଗର ଯୁଗ୍ମ ଶାସନ ସଚିବ ଶରତ ଚନ୍ଦ୍ର ମାରାଣ୍ଡିଙ୍କ ତଥ୍ୟ ଆଧାରରେ ଏହି FIR ରୁଜୁ ହୋଇଛି। ମାମଲା ରୁଜୁ ହେବା ପରେ କ୍ୟାପିଟାଲ ଥାନା ପୋଲିସ ସିଧାସଳଖ ଲୋକସେବା ଭବନରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଯୁଗ୍ମ ସଚିବଙ୍କୁ ପ୍ରାୟ ଅଧଘଣ୍ଟା ଧରି ପଚରାଉଚରା କରାଯାଇଥିବା ବେଳେ ଫାଇଲ୍ ହଜିବାର ସମ୍ପୂର୍ଣ୍ଣ ଟାଇମଲାଇନ୍ ଓ ଫାଇଲ୍ ମୁଭମେଣ୍ଟ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଇଛି।
ତଦନ୍ତରେ ଏବେ ଫୋକସ୍ରେ ରହିଛି ‘ଫାଇଲ୍ ଟ୍ରେଲ୍’। ଫାଇଲ୍ ମୁଭମେଣ୍ଟ ରେଜିଷ୍ଟର, ରିସିଭିଂ ଆକନଲେଜମେଣ୍ଟ, ସଚିବାଳୟର ସିସିଟିଭି ଫୁଟେଜ୍ ଓ ସମ୍ପୃକ୍ତ ଅଧିକାରୀଙ୍କ ବୟାନକୁ ଆଧାର କରି ଖୋଜାଯିବ ଫାଇଲ୍ର ଶେଷ ଠିକଣା। CMO ଓ ଗୃହ ବିଭାଗର ଯେଉଁ ଅଧିକାରୀ କିମ୍ବା କର୍ମଚାରୀ ଏହି ଫାଇଲ୍କୁ ହ୍ୟାଣ୍ଡେଲ୍ କରିଥିଲେ, ସେମାନେ ତଦନ୍ତ ପରିସରକୁ ଆସିପାରନ୍ତି।
ଏହି ଘଟଣା କେବଳ ଏକ ସାଧାରଣ ଫାଇଲ୍ ହଜିବା ମାମଲା ନୁହେଁ, ବରଂ ସରକାରୀ ଦସ୍ତାବିଜର ସୁରକ୍ଷା ଉପରେ ବଡ଼ ପ୍ରଶ୍ନ ଛିଡ଼ା କରିଛି। ଯଦି ଷଡ଼ଯନ୍ତ୍ର କିମ୍ବା ଉଦ୍ଦେଶ୍ୟମୂଳକ ଭାବେ ଫାଇଲ୍ ଗାଏବ କରାଯାଇଥିବା ପ୍ରମାଣ ମିଳେ, ତେବେ ମାମଲାରେ କଠୋର ଆଇନଗତ ଧାରା ଲାଗୁ ହେବା ସହ ତଦନ୍ତ କ୍ରାଇମ ବ୍ରାଞ୍ଚ ହାତକୁ ଯାଇପାରେ। ଫାଇଲ୍ ହଜିବା ପଛରେ ଅବହେଳା ନା ଅଛି କୌଣସି ବଡ଼ ରହସ୍ୟ? ଏବେ ସମସ୍ତଙ୍କ ନଜର ପୋଲିସ ତଦନ୍ତ ଉପରେ।