ଗଜପତି: ବହୁଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ବଡ଼ ଖବର । ତତ୍କାଳୀନ ପାରଳାଖେମୁଣ୍ଡି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା ପାରଳାଖେମୁଣ୍ଡି ଜିଲ୍ଲା ଓ ଦୌରାଜଜ୍ ଅଦାଲତଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଦୀର୍ଘ ୫ ବର୍ଷ ପରେ ଡିଏଫ୍ଓ ଆତ୍ମସମର୍ପଣ କରିଛନ୍ତି ।
ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ଓ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରାଙ୍କ ବିରୁଦ୍ଧରେ ହତ୍ୟା ମାମଲା ରୁଜୁ ହୋଇଛି । ଗତବର୍ଷ ପାରଳାଖେମୁଣ୍ଡି ଏସଡିଜେଏମଙ୍କ ନିକଟରେ ହତ୍ୟା ମାମଲା ଅଭିଯୋଗ ଆଣିଥିଲେ ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର । କିନ୍ତୁ ବିଦ୍ୟାଭାରତୀ ଓ ସଂଗ୍ରାମ କେଶରୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଗତବର୍ଷ 9 ଜୁଲାଇରେ ହତ୍ୟା ମାମଲା ଜାରି ରଖିବାକୁ ହାଇକୋର୍ଟ ଶୁଣାଣିରେ ସ୍ପଷ୍ଟ କରିଥିଲେ ।
ଉଲ୍ଲେଖ ଯୋଗ୍ୟ, ଗତ ୧୨ ଜୁଲାଇ ୨୦୨୧ ମସିହାରେ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ସନ୍ଦେହଜନକ ଅବସ୍ଥାରେ ପୋଡ଼ି ହୋଇ ମୃତ୍ୟୁ ଘଟିଥିଲା। ନିଜ ସରକାରୀ କ୍ୱାର୍ଟରରେ ସୌମ୍ୟରଞ୍ଜନ ପୋଡ଼ି ହୋଇ ପ୍ରାଣ ହରାଇଥିଲେ । ତାଙ୍କ ଶରୀରର ପ୍ରାୟ ୯୫ ପ୍ରତିଶତ ପୋଡ଼ି ହୋଇଯାଇଥିଲା ଏବଂ ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ ସୌମ୍ୟ। ଅଭିରାମ ମହାପାତ୍ର ଡିଏଫଓ ସଂଗ୍ରାମ କେଶରୀ ବେହେରା, ବୋହୂ ବିଦ୍ୟାଭାରତୀ ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କ ବିରୁଦ୍ଧରେ ହତ୍ୟା ଅଭିଯୋଗ ଆଣିଥିଲେ। ।
ତତ୍କାଳୀନ ନବୀନ ପଟ୍ଟନାୟକ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଡିଏଫ୍ଓ ଏବଂ ବିଦ୍ୟାଭାରତୀଙ୍କୁ ବିଭିନ୍ନ ପର୍ଯ୍ୟାୟରେ ଘନ ଘନ ଜେରା କରାଯାଇଥିଲା । କ୍ରାଇମବ୍ରାଞ୍ଚ ୩୦୦ ପୃଷ୍ଠାର ଏକ ଚାର୍ଜସିଟ୍ ପାରଳାଖେମୁଣ୍ଡି କୋର୍ଟରେ ଦାଖଲ କରିଥିଲା। କ୍ରାଇମବ୍ରାଞ୍ଚ ଏହାକୁ ଅଘଟଣ ବୋଲି ତଦନ୍ତ ରିପୋର୍ଟରେ ଦର୍ଶାଇଥିଲା । ପ୍ରମାଣ ଅଭାବରୁ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କ କ୍ଲିନ୍ ଚିଟ୍ ଦେଇଥିଲା । ପ୍ରାୟ 80 ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା ।