ବାଲିଙ୍ଗିର: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଚଟୁଅନକା ମାଝୀପଡାରୁ ଆସିଛି ଏକ ହୃଦୟବିଦାରକ ଘଟଣା । ପାରିବାରିକ କଳହକୁ କେନ୍ଦ୍ର କରି ସ୍ୱାମୀ ନିଜ ସ୍ତ୍ରୀକୁ ବିଭତ୍ସ ଭାବେ ହତ୍ୟା କରିଛି । ମୃତା ମହିଳା ଜଣକ ହେଲେ କିଆଫୁଲ ମାଝୀ । ପୋଲିସ ଅଭିଯୁକ୍ତ ସ୍ୱାମୀ ଦେବଚନ୍ଦ୍ର ମାଝୀଙ୍କୁ ଅଟକ ରଖିଛି ।
ମିଳିଥିବା ପ୍ରାଥମିକ ସୂଚନା ଅନୁସାରେ, ଗତକାଲି ରାତିରେ ଚଟୁଅନକା ମାଝୀପଡାରେ ପାରିବାରିକ କଳହକୁ କେନ୍ଦ୍ର କରି ସ୍ୱାମୀ ଦେବଚନ୍ଦ୍ର ମାଝୀ ଓ କିଆଫୁଲ ମାଝୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଦେବଚନ୍ଦ୍ର ଏକ ଧାରୁଆ ଟାଙ୍ଗିଆରେ କିଆଫୁଲକୁ ଆକ୍ରମଣ କରିଥିଲେ। ଫଳରେ କିଆଫୁଲ ଘଟଣା ସ୍ଥଳରେ ହିଁ ଟଳି ପଡ଼ିଥିଲେ ।
ଏ ନେଇ ଗ୍ରାମବାସୀ କଣ୍ଟାବାଞ୍ଜି ଥାନା ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରିବା ସହିତ ସୈତାନ ସ୍ୱାମୀକୁ ଅଟକ ରଖିଛି । ତେବେ ହତ୍ୟାର ପ୍ରକୃତ କାରଣ କଣ ଥିଲା ଏବଂ ଘଟଣା ପଛରେ ଅନ୍ୟ କୌଣସି କାରଣ ରହିଛି କି ନାହିଁ, ସେ ନେଇ କଣ୍ଟାବାଞ୍ଜି ପୋଲିସ ଅଧିକ ତଦନ୍ତ ଜାରି ରଖିଛି।