ଭୁବନେଶ୍ୱର: ଦୁର୍ନୀତି ବିରୋଧରେ ଓଡ଼ିଶା ଭିଜିଲାନ୍ସର କଡ଼ା ଅଭିଯାନ ଜାରି ରହିଥିବାବେଳେ ଆଉ ଜଣେ ବରିଷ୍ଠ ସରକାରୀ ଅଧିକାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଓଡ଼ିଶା କନଷ୍ଟ୍ରକ୍ସନ କର୍ପୋରେସନ୍ (OCC) ଲିମିଟେଡ୍ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସଞ୍ଜୟ କୁମାର କିସପଟ୍ଟାଙ୍କୁ ଆୟଠାରୁ ଅଧିକ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ। ସେ ବର୍ତ୍ତମାନ ବଲାଙ୍ଗିର ଲୋୟର ସୁକତେଲ ପ୍ରକଳ୍ପରେ ଡେପୁଟେସନରେ କାର୍ଯ୍ୟରତ ଥିଲେ।
ଭିଜିଲାନ୍ସ ପକ୍ଷରୁ ସଞ୍ଜୟ କିସପଟ୍ଟାଙ୍କ ସହ ସମ୍ପୃକ୍ତ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ବେଳେ ତାଙ୍କ ନାମରେ ରହିଥିବା ବିପୁଳ ପରିମାଣର ସମ୍ପତ୍ତି ଠାବ ହୋଇଛି। ସବୁଠୁ ବଡ଼ କଥା ହେଉଛି, ପ୍ରାୟ ୮,୦୦୦ ବର୍ଗଫୁଟ୍ ଅଞ୍ଚଳରେ ନିର୍ମିତ ୨୩ଟି କୋଠରୀ ବିଶିଷ୍ଟ ଏକ ଆଲିଶାନ ବାଣିଜ୍ୟିକ ଲଜ୍ ଠାବ ହୋଇଛି। ଏହି ଲଜ୍ରେ ପ୍ରାୟ ଥ୍ରୀ-ଷ୍ଟାର ହୋଟେଲ ଭଳି ସମସ୍ତ ସୁବିଧା ଥିବା ଭିଜିଲାନ୍ସ ସୂଚନା ଦେଇଛି। ଏହାଛଡ଼ା ତାଙ୍କ ନାମରେ ୨ଟି ବହୁତଳ କୋଠା, ୯ଟି ଉଚ୍ଚମୂଲ୍ୟର ପ୍ଲଟ୍, ବ୍ୟାଙ୍କରେ ୪୬.୦୯ ଲକ୍ଷ ଟଙ୍କା ଜମା, ୧.୧୬ ଲକ୍ଷ ଟଙ୍କା ନଗଦ, ୩୨୫.୫୬୨ ଗ୍ରାମ ସୁନା, ୧.୧୨୧ କିଲୋଗ୍ରାମ ରୂପା ଓ ୨ଟି ଚାରିଚକିଆ ଗାଡ଼ି ମଧ୍ୟ ଜବତ କରାଯାଇଛି।
ଭିଜିଲାନ୍ସ ଅଧିକାରୀମାନଙ୍କ କହିବା ଅନୁଯାୟୀ, ଏହି ବିପୁଳ ସମ୍ପତ୍ତିର ଉତ୍ସ ସମ୍ପର୍କରେ ସଞ୍ଜୟ କିସପଟ୍ଟା ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ତଦନ୍ତରେ ଏହି ସମ୍ପତ୍ତି ତାଙ୍କ ଜଣାଶୁଣା ଆୟ ଉତ୍ସଠାରୁ ଅନେକ ଗୁଣ ଅଧିକ ବୋଲି ଭିଜିଲାନ୍ସ ସନ୍ଦେହ କରୁଛି।
ଏହି ଘଟଣାରେ କୋରାପୁଟ ଭିଜିଲାନ୍ସ ଥାନା କେସ୍ ନଂ-୧୫/୨୦୨୬ ରୁଜୁ କରାଯାଇଛି। ତାଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ମାମଲା ଦାଖଲ ହୋଇଥିବାବେଳେ ତାଙ୍କୁ ଜୟପୁର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ଙ୍କ ଅଦାଲତରେ ହାଜର କରାଯିବ।
ଭିଜିଲାନ୍ସ କହିଛି ଯେ, ଆୟଠାରୁ ଅଧିକ ସମ୍ପତ୍ତି ଠୁଳ କରୁଥିବା ସରକାରୀ କର୍ମଚାରୀଙ୍କ ବିରୋଧରେ ଆଗାମୀ ଦିନରେ ମଧ୍ୟ ଏଭଳି କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରହିବ। ଏହି ମାମଲାରେ ଅଧିକ ତଦନ୍ତ ଚାଲିଥିବାରୁ ଆଗକୁ ଆଉ ନୂଆ ତଥ୍ୟ ସାମ୍ନାକୁ ଆସିପାରେ।