ପୁରୀ: ଜ୍ୱରରେ ପୀଡ଼ିତ ଚତୁର୍ଦ୍ଧାମୂରତି ସମ୍ପୂର୍ଣ୍ଣ ସୁସ୍ଥ ହୋଇସାରିଛି । ଆଜି ନବଯୌବନ ଦର୍ଶନ । ଏହା ପୂର୍ବରୁ ଶ୍ରୀନଅରରେ ଖଡ଼ି ପ୍ରସାଦ ବିଜେ ନୀତି ଅନୁଷ୍ଠିତ ହୋଇଯାଇଛି ।
ଶ୍ରୀମନ୍ଦିରରେ ପାଳିତ ହେଉଥିବା ଅଣସର ନୀତିର ଏକ ମୁଖ୍ୟ ପରମ୍ପରା ହେଉଛି ଖଡ଼ି ପ୍ରସାଦ ବିଜେ ନୀତି। ଏହାଦ୍ୱାରା ମହାପ୍ରଭୁ ସୁସ୍ଥ ହେଉଥିବାର ସୂଚନା ମିଳିଥାଏ । ଅଣସର ତ୍ରୟୋଦଶୀ ତିଥିରେ ଶ୍ରୀଜୀଉଙ୍କୁ 'ଘଣା ଲାଗି' ଓ 'ଖଳି ଲାଗି' ପରେ ଏହି ନୀତି ଅନୁଷ୍ଠିତ ହୋଇଥାଏ। ପରମ୍ପରା ଅନୁଯାୟୀ ମହାପ୍ରଭୁଙ୍କୁ ଲାଗି ହୋଇଥିବା ଫୁଲ, ତୁଳସୀ ଓ ଖଡ଼ି ପ୍ରସାଦକୁ ଦଇତାପତି ଓ ଦତ୍ତମହାପାତ୍ର ସେବକମାନେ ଏକ ରୂପା ଥାଳିରେ ରଖନ୍ତି । ନବଯୌବନ ଦର୍ଶନ ଦିନ ଘଣ୍ଟ, ଛତା, ଓ କାହାଳୀ ସହ ଏହି ପ୍ରସାଦକୁ ଶ୍ରୀମନ୍ଦିରରୁ ଶ୍ରୀନହରକୁ ବିଜେ କରାଯାଇଥାଏ । ଦଇତାପତି ଓ ଦତ୍ତମହାପାତ୍ର ସେବକମାନେ ଶ୍ରୀନଅରରେ ପହଞ୍ଚି ଗଜପତି ମହାରାଜଙ୍କୁ ଏହି ଖଡ଼ି ପ୍ରସାଦ ଅର୍ପଣ କରିଥାନ୍ତି । ଯାହା ପରେ ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥାଏ ।
ସେପଟେ ଶ୍ରୀମନ୍ଦିରରେ ବନକଲାଗି ଏବଂ ନବଯୌବନ ଦର୍ଶନ ନୀତି ହୋଇଛି । ଦତ୍ତମହାପାତ୍ର ସେବାୟତମାନେ ପାରମ୍ପରିକ ରଙ୍ଗ ହେଙ୍ଗୁଳ, ହରିତାଳ, କେଶର, କସ୍ତୁରୀ ରଙ୍ଗ ବ୍ୟବହାର କରି ବନକଲାଗି କରିଛନ୍ତି । ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କାର୍ଯ୍ୟ ଆଜି ବିଳମ୍ୱିତ ରାତ୍ରି ପର୍ଯ୍ୟନ୍ତ ଜାରି ରହିବ । ତେବେ ଚଳିତ ବର୍ଷ ଗୋଟିଏ ଦିନରେ ନେତ୍ରୋତ୍ସବ ଓ ନବଯୌବନ ସହ ରଥଯାତ୍ରା ପଡୁଥିବାରୁ ଭକ୍ତମାନେ ନବଯୌବନ ଦର୍ଶନରୁ ବଞ୍ଚିତ ହେବେ । ରଥଯାତ୍ରା ଦିନ ହିଁ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିବାର ସୌଭାଗ୍ୟ ଅର୍ଜନ କରିପାରିବେ ।