ଭୁବନେଶ୍ୱର: ଓଡ଼ିଶାରେ ପୁଣି ସକ୍ରିୟ ହୋଇଛି ମୌସୁମୀ ବର୍ଷା। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲାରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ସକାଳ ୮.୩୦ଟା ସୁଦ୍ଧାର ବର୍ଷା ତଥ୍ୟ ପ୍ରକାଶ କରାଯାଇଛି।
ରିପୋର୍ଟ ଅନୁସାରେ, କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗରରେ ସର୍ବାଧିକ ୧୫୫ ମିଲିମିଟର ବର୍ଷା ରେକର୍ଡ ହୋଇଛି। ସେହିପରି ଆଉଳରେ ୧୨୬ ମିଲିମିଟର ବର୍ଷା ହୋଇଛି। ବାଲେଶ୍ୱର ଜିଲ୍ଲାର ଏନ୍ଏଚ୍-୫ ଗୋବିନ୍ଦପୁରରେ ୧୨୧.୪ ମିଲିମିଟର ଏବଂ ଯାଜପୁର ଜିଲ୍ଲାର ବରୀରେ ୧୨୦.୧ ମିଲିମିଟର ବର୍ଷା ହୋଇଛି। ମୟୂରଭଞ୍ଜ ଜିଲ୍ଲାର ବେତନଟୀରେ ମଧ୍ୟ ୧୦୧.୧ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।
ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ରାଜ୍ୟର ୪ଟି ସ୍ଥାନରେ ଅତି ପ୍ରବଳ ବର୍ଷା ଏବଂ ୧୪ଟି ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ଏହି ବର୍ଷାରେ କେନ୍ଦ୍ରାପଡ଼ା, ବାଲେଶ୍ୱର, ମୟୂରଭଞ୍ଜ, ଯାଜପୁର, ଜଗତସିଂହପୁର ଓ ଭଦ୍ରକ ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି।
ଲଗାଣ ବର୍ଷା ଯୋଗୁଁ ଅନେକ ସ୍ଥାନରେ ରାସ୍ତାଘାଟରେ ପାଣି ଜମିଥିବା ବେଳେ ନିମ୍ନାଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ଦେଖାଦେଇଛି। ଲୋକଙ୍କୁ ଅନାବଶ୍ୟକ ବାହାରକୁ ନଯିବାକୁ ଓ ସତର୍କ ରହିବାକୁ ପ୍ରଶାସନ ପରାମର୍ଶ ଦେଇଛି।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଆଗାମୀ କିଛି ଦିନ ଯାଏଁ ରାଜ୍ୟର କିଛି ଅଞ୍ଚଳରେ ବର୍ଷାର ପ୍ରଭାବ ଜାରି ରହିପାରେ। ତେଣୁ ନଦୀକୂଳ ଓ ଜଳମଗ୍ନ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସ୍ଥିତି ଉପରେ ନଜର ରଖିବା ସହ ସରକାରୀ ସତର୍କବାଣୀକୁ ମାନିବାକୁ ପରାମର୍ଶ ଦିଆଯାଇଛି।