ଭୁବନେଶ୍ୱର: ରାଜ୍ୟରେ ଜଣେ ବି ଛାତ୍ରଛାତ୍ରୀ ଯେପରି ଗୁଣାତ୍ମକ ଉଚ୍ଚ ଶିକ୍ଷା ପାଇବାରୁ ବଞ୍ଚିତ ନ ହୁଅନ୍ତି ସେ ଲକ୍ଷ୍ୟ ନେଇ ରାଜ୍ୟ ସରକାର କେଜିରୁ ପିଜି ଯାଏ ମାଗଣା ଶିକ୍ଷା ଘୋଷଣା କରିଛନ୍ତି । ଏଥିପାଇଁ ଲାଗ ରହିଥିବା ଦ୍ୱନ୍ଦ୍ୱକୁ ଦୂର କରି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମାର୍ଗଦର୍ଶିକା ଜାରି କରିଛନ୍ତି । ବୃତ୍ତିଗତ ପାଠ୍ୟକ୍ରମ, ଘରୋଇ ଶିକ୍ଷାନୁଷ୍ଠାନ, ସ୍ୱ-ଅର୍ଥ ଲଗାଣ ପାଠ୍ୟକ୍ରମକୁ ଏଥିରୁ ବାଦ ଦିଆଯାଇଛି । ସେହିପରି ସରକାରୀ ଶିକ୍ଷାନୁଷ୍ଠାନ ଯଥା ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ, ଅନୁଦାନ ପ୍ରାପ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକର ସ୍ନାତକ ଓ ସ୍ନାତକୋତ୍ତରର ନିୟମିତ ପାଠ୍ୟକ୍ରମକୁ ଅନୁମତି ମିଳିଛି ।
ଆଜି ଉଚ୍ଚ ଶିକ୍ଷା ମନ୍ତ୍ରୀ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ କେଜିରୁ ପିଜି ନାମଲେଖାର ଏସଓପି ଘୋଷଣା କରିଛନ୍ତି । ଆର୍ଥିକ ଅନଗ୍ରସର ଯୋଗୁଁ ଯେପରି କୌଣସି ଛାତ୍ରଛାତ୍ରୀ ଅଧାରୁ ପାଠ ପଢ଼ା ନ ଛାଡ଼ନ୍ତି କିମ୍ବା ଗୁଣାତ୍ମକ ଶିକ୍ଷାରୁ ବଞ୍ଚିତ ନୁ ହୁଅନ୍ତି ତାହା ସରକାରଙ୍କ ଲକ୍ଷ୍ୟ ରହିଛି । ଜାତୀୟ ଶିକ୍ଷା ନୀତି-୨୦୨୦, ‘ଜ୍ଞାନୋଦୟ- ଶିକ୍ଷାରୁ ସମୃଦ୍ଧିର ମାର୍ଗ’ ଯୋଜନା ସହିତ ସମନ୍ୱିତ କରାଯାଇଛି । ଭିଜନ୍-୨୦୩୬ ଓ ଭିଜନ୍- ୨୦୪୭ ସୁଦ୍ଧା ରାଜ୍ୟରେ ଶିକ୍ଷାକୁ ୬୦ ପ୍ରତିଶତରେ ପହଁଚାଇବାକୁ ରଖାଯାଇଥିବା ଲକ୍ଷ୍ୟକୁ ଏହା ପୂରଣ କରିବ ବୋଲି ସରକାର ଆଶା ରଖି କେଜିରୁ ପିଜି ନିଶୁଳ୍କ ଶିକ୍ଷା ନୀତି ଅଣାଯାଇଛି ।
କେଉଁମାନେ ଏହି ଯୋଜନାର ଲାଭ ପାଇପାରିବେ ଏବଂ କେଉଁମାନେ ବାଦ ପଡ଼ିବେ ମାର୍ଗଦର୍ଶିକା ଜରିଆରେ ତାହା ମନ୍ତ୍ରୀ ଆଜି ସ୍ପଷ୍ଟ କରିଛନ୍ତି । ସରକାରଙ୍କ ନିଶୁଳ୍କ ଶିକ୍ଷା ବ୍ୟବସ୍ଥାରେ ସମସ୍ତ ପାଠ୍ୟକ୍ରମ ସାମିଲ ହୋଇନାହିଁ। ବିଶେଷ କରି ପ୍ରଫେସନାଲ ବା ବୃତ୍ତିଗତ ପାଠ୍ୟକ୍ରମକୁ ବାଦ୍ ଦିଆଯାଇଛି । ଚଳିତ ବର୍ଷଠାରୁ ସମସ୍ତ ରି-ଆଡମିଶନ ପ୍ରକ୍ରିୟା ସାମ୍ସ (SAMS) ପୋର୍ଟାଲ ମାଧ୍ୟମରେ କରାଯିବ । କୌଣସି ଶିକ୍ଷାନୁଷ୍ଠାନ ମନଇଚ୍ଛା ଫି’ ବୃଦ୍ଧି କରିପାରିବେ ନାହିଁ ବୋଲି କଡ଼ା ଚେତାବନୀ ଦିଆଯାଇଛି । ସେହିପରି ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ଯୋଗ୍ୟତା ସର୍ତ୍ତାବଳୀ ଅଣାଯାଇଛି । ଉପସ୍ଥାନ, ନିୟମିତ ନାମ ଲେଖା ଏବଂ ପ୍ରଥମ ଥର ନାମ ଲେଖାଉଥିବା ପିଲାଙ୍କ ପାଇଁ ନିର୍ଦ୍ଧିଷ୍ଟ ମାନଦଣ୍ଡ ରହିଛି । ତେବେ ଯେଉଁମାନେ ପୂର୍ବରୁ ନାମଲେଖାଇ ସାରିଛନ୍ତି ସେମାନଙ୍କୁ ତାଙ୍କର ଟଙ୍କା ଫେରସ୍ତ କରାଯିବ । ଯେଉଁମାନେ ପୁନଃନାମଲେଖା ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ସେମାନଙ୍କ ଟଙ୍କା ମଧ୍ୟ ଫେରସ୍ତ କରାଯିବ ।
ବାଦ୍ ପଡ଼ିଥିବା ପାଠ୍ୟକ୍ରମ ଓ ଶିକ୍ଷାନୁଷ୍ଠାନ
-
ସରକାରଙ୍କ ଗାଇଡଲାଇନ୍ ଅନୁଯାୟୀ, ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ଚାଲୁଥିବା ସେଲ୍ଫ-ଫାଇନାନ୍ସିଂ (ସ୍ୱ-ଅର୍ଥଲଗାଣ) ପାଠ୍ୟକ୍ରମ।
-
ସମସ୍ତ ପ୍ରକାର ଘରୋଇ (ଅନୁଦାନବିହୀନ / ସ୍ୱ-ଅର୍ଥଲଗାଣ) ଉଚ୍ଚ ଶିକ୍ଷାନୁଷ୍ଠାନ ।
-
ପବ୍ଲିକ୍-ପ୍ରାଇଭେଟ୍ ପାର୍ଟନରସିପ୍ ବା ପିପିପି ମୋଡ୍ରେ ପରିଚାଳିତ ଶିକ୍ଷାନୁଷ୍ଠାନ ଏବଂ ସେଗୁଡ଼ିକର ପାଠ୍ୟକ୍ରମ ।
-
ପତ୍ର ବିନିମୟ (Correspondence) ବା ଦୂର ନିରନ୍ତର ଶିକ୍ଷା।
-
ବିଭିନ୍ନ ବୃତ୍ତିଗତ, ବୈଷୟିକ ଏବଂ ଶିକ୍ଷକ-ଶିକ୍ଷା (Teacher Education) ପାଠ୍ୟକ୍ରମ। ଯଥା:- ଏମବିଏ, ଏମସିଏ, ବିଏଡ୍, ଏମ୍ଏଡ୍, ବିବିଏ, ବିସିଏ, ଏଲଏଲବି ଓ ଏଲଏଲଏମ୍ ଭଳି ପାଠ୍ୟକ୍ରମକୁ ସାମିଲ କରାଯାଇନାହିଁ ।
ଛାତ୍ରଛାତ୍ରୀଙ୍କ ଯୋଗ୍ୟତା-
ଉପସ୍ଥାନ: ଶ୍ରେଣୀଗୃହରେ ସର୍ବନିମ୍ନ ୭୫% ଉପସ୍ଥାନ ରହିବା ବାଧ୍ୟତାମୂଳକ । ବିଶେଷ ପରିସ୍ଥିତିରେ କୋହଳ କରାଗଲେ ମଧ୍ୟ ଏହା କୌଣସି ସ୍ଥିତିରେ ୬୫% ରୁ କମ୍ ହେବା ଉଚିତ୍ ନୁହେଁ । ଡିଜିଟାଲ୍ ରେକର୍ଡ ମାଧ୍ୟମରେ ଉପସ୍ଥାପନ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଯୋଜନାର ଦୂରୁପଯୋଗ ନ ହୁଏ ସେଥିପାଇଁ ଏଭଳି ନିୟମ ଅଣାଯାଇଛି ।
ନିୟମିତ ନାମଲେଖା: ଛାତ୍ରଛାତ୍ରୀମାନେ କେବଳ ସାମ୍ସ (SAMS) ମାଧ୍ୟମରେ ଏକ ଯୋଗ୍ୟ ଶିକ୍ଷାନୁଷ୍ଠାନରେ ନିୟମିତ ସ୍ନାତକ (+୩/UG) କିମ୍ବା ସ୍ନାତକୋତ୍ତର (PG) ପାଠ୍ୟକ୍ରମରେ ନାମ ଲେଖାଇଥିବା ଆବଶ୍ୟକ ।
ପ୍ରଥମ ଥର ଆଡମିଶନ: ସ୍ନାତକ ବା ସ୍ନାତକୋତ୍ତର ପାଠ୍ୟକ୍ରମରେ ପ୍ରଥମ ଥର ପାଇଁ ନାମଲେଖା ଏବଂ ପରବର୍ତ୍ତୀ ପୁନଃ-ନାମଲେଖା (Re-admission) ପାଇଁ ହିଁ ଏହି ସୁବିଧା ଉପଲବ୍ଧ ହେବ।
ଟଙ୍କା ଫେରସ୍ତ ନିୟମ:
ନାମଲେଖା କିମ୍ବା ପୁନଃ ନାମଲେଖା ସମୟରେ ଶିକ୍ଷାନୁଷ୍ଠାନ ଦ୍ୱାରା ନିଆଯାଉଥିବା ସାଧାରଣ ଶୁଳ୍କ ଛାତ୍ରଛାତ୍ରୀଙ୍କୁ ଦେବାକୁ ପଡ଼ିବ ନାହିଁ। କେବଳ ବିଶ୍ୱବିଦ୍ୟାଳୟଗୁଡ଼ିକ ପରୀକ୍ଷା ଶୁଳ୍କ ଆଦାୟ କରିପାରିବେ । ଅନ୍ୟ କୌଣସି ଶିକ୍ଷାନୁଷ୍ଠାନ ଏହି ନିୟମର ଅନ୍ତର୍ଭୁକ୍ତ ନୁହଁନ୍ତି । କିନ୍ତୁ ପରୀକ୍ଷା ଫି’ (Examination Fee) ଏବଂ ହଷ୍ଟେଲ ଫି’ (Hostel Fee) ଏହି ଯୋଜନାର ଭୁକ୍ତ ନୁହେଁ । ହଷ୍ଟେଲରେ ରହୁଥିବା ପିଲା ନିଜ ଖର୍ଚ୍ଚରେ ରହିବେ ।
ତେବେ କଲେଜକୁ କୌଣସି ଆର୍ଥିକ ବୋଝ ନେବାକୁ ପଡ଼ିବ ନାହିଁ । ପରୀକ୍ଷା ଶୁଳ୍କ, ଆଇକାର୍ଡ, ଭିତ୍ତିଭୂମି, ରେଡକ୍ରସ ଏବଂ ଏନସିସି ଆଦି ପାଇଁ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ ।
ବଡ଼ ଘୋଷଣା ସହିତ ଉଚ୍ଚ ଶିକ୍ଷା ମନ୍ତ୍ରୀ ଚେତାବନୀ ଦେଇଛନ୍ତି ଯେ କୌଣସି ମହାବିଦ୍ୟାଳୟ କିମ୍ବା ବିଶ୍ୱବିଦ୍ୟାଳୟଗୁଡ଼ିକ ମନଇଚ୍ଛା ଫି ବୃଦ୍ଧି କରିପାରିବେ ନାହିଁ । ଯାହା ପୂର୍ବରୁ ସାମ୍ସ ପୋର୍ଟାଲରେ ତଥ୍ୟ ଦିଆଯାଇଛି ସେହି ଅନୁସାରେ ଶୁଳ୍କ ଆଦାୟ କରିବେ । କିନ୍ତୁ ବୃତ୍ତିଗତ, ପିପିପି ଏବଂ ସେଲ୍ଫ ଫିନାନ୍ସିଂ ପାଠ୍ୟକ୍ରମରେ ଏହି ନିୟମ ଲାଗୁ ହେବ ନାହିଁ । ଏଥିରେ ସରକାର ହସ୍ତକ୍ଷେପ କରିବେ ନାହିଁ ।