ରାୟଗଡ଼ା: ରାୟଗଡ଼ା ଜିଲ୍ଲାରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଅନୁସୂଚିତ ଜାତି ଓ ଜନଜାତି ବିକାଶ ବିଭାଗ ପରିଚାଳିତ ଏକ ଆବାସିକ ବିଦ୍ୟାଳୟର ଜଣେ ୧୦ ବର୍ଷୀୟ ଛାତ୍ରଙ୍କର ମ୍ୟାଲେରିଆରେ ମୃତ୍ୟୁ ଘଟିଛି। ମୃତ ଛାତ୍ର ହେଲେ କୋଲନରା ବ୍ଲକ୍ ସୁରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀର ଛାତ୍ର ଚନ୍ଦୁ ଉଲାକା।
ସୂଚନା ଅନୁସାରେ, ଚନ୍ଦୁ ଗତ ୩ରୁ ୪ ଦିନ ଧରି ଜ୍ୱରରେ ପୀଡ଼ିତ ଥିଲେ। ବିଦ୍ୟାଳୟ ପକ୍ଷରୁ ସ୍ୱାସ୍ଥ୍ୟକର୍ମୀଙ୍କୁ ଖବର ଦେବା ପରେ ତାଙ୍କ ରକ୍ତ ପରୀକ୍ଷା କରାଯାଇଥିଲା ଏବଂ ମ୍ୟାଲେରିଆ ପଜିଟିଭ୍ ଆସିଥିଲା। ଏହାପରେ ତାଙ୍କୁ ଔଷଧ ଦିଆଯାଇଥିଲା।
ପରେ ଛାତ୍ରଙ୍କ ବାପା ହଷ୍ଟେଲକୁ ଆସି ତାଙ୍କୁ ଘରକୁ ନେଇଯାଇଥିଲେ। କିନ୍ତୁ ଘରେ ପହଞ୍ଚିବା ପରେ ଚନ୍ଦୁଙ୍କ ସ୍ୱାସ୍ଥ୍ୟ ଅଧିକ ଗୁରୁତର ହୋଇପଡ଼ିଥିଲା। ତୁରନ୍ତ ତାଙ୍କୁ କୋଲନରା କମ୍ୟୁନିଟି ହେଲ୍ଥ ସେଣ୍ଟରକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
ଘଟଣା ପରେ ଆଉ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ପରିବାର ଲୋକଙ୍କ ଅଭିଯୋଗ, ପ୍ରାୟ ଦୁଇ ଘଣ୍ଟା ଅପେକ୍ଷା କରିବା ସତ୍ତ୍ୱେ ମୃତଦେହ ନେବା ପାଇଁ ନା ମହାପ୍ରୟାଣ ଗାଡ଼ି ମିଳିଲା, ନା ଆମ୍ବୁଲାନ୍ସ। ଶେଷରେ ବାଧ୍ୟ ହୋଇ ପରିବାର ଲୋକେ ମୃତ ଶିଶୁର ମୃତଦେହକୁ ଏକ ମୋଟରସାଇକେଲରେ ଘରକୁ ନେଇଥିଲେ। ଏହି ଘଟଣାକୁ ନେଇ କୋଲନରା ସିଏଚ୍ସିରେ ଉତ୍ତେଜନା ସୃଷ୍ଟି ହୋଇଥିଲା।