ପୁରୀ: ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଶୁକଳ ଗ୍ରାମର ଦୁର୍ନୀୟା ଦେବ ନୋଡାଲ୍ ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷକ ସୁରେଶ ସ୍ୱାଇଁଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ଏବଂ ଧମକ ଦେବା ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସତ୍ୟବାଦୀ ଥାନା ପୋଲିସ ସମ୍ପୃକ୍ତ ଅଭିଭାବକ ଶୁକଳ ଗ୍ରାମର ଅଂଶୁମାନ ବିଶ୍ୱାଳ (୪୪)ଙ୍କୁ ଅଟକ ରଖିଛି । ପିଇଟି ଶିକ୍ଷକଙ୍କ ଏତଲା ଆଧାରରେ ପୋଲିସ ତାଙ୍କୁ ଉଠାଇ ନେଇଛି ।
ସାମାଜିକ ଗଣମାଧ୍ୟମରେ ଶିକ୍ଷକଙ୍କୁ ଦୁର୍ବ୍ୟବହାର ଭିଡ଼ିଓ ଭାଇରାଲ ହେବା ପରେ ଶିକ୍ଷକ ସୁରେଶ ସ୍ୱାଇଁ ଗତକାଲି ସତ୍ୟବାଦୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁଯାୟୀ, ଗତ ୯ ତାରିଖରେ ପୂର୍ବାହ୍ନ ପ୍ରାୟ ୧୦:୨୦ ମିନିଟ୍ ସମୟରେ ପିଇଟି ସୁରେଶ ସ୍ୱାଇଁ ବିଦ୍ୟାଳୟରେ କାର୍ଯ୍ୟରତ ଥିବାବେଳେ ବାସୁଦେବପୁର (ଶୁକଳ) ଗ୍ରାମର ଅଂଶୁମାନ ବିଶ୍ୱାଳ ନାମକ ଜଣେ ବ୍ୟକ୍ତି ହଠାତ୍ ସ୍କୁଲ୍ ଅଫିସ୍ ଭିତରକୁ ପଶି ଆସିଥିଲେ। ସେଠାରେ ଅନ୍ୟ ଶିକ୍ଷକମାନଙ୍କ ଉପସ୍ଥିତିରେ ସୁରେଶ ସ୍ୱାଇଁଙ୍କୁ ଅତ୍ୟନ୍ତ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଜୀବନରୁ ମାରିଦେବାକୁ ଧମକ ଚମକ ଦେଇଥିଲେ।
ଏହି ସମ୍ବେଦନଶୀଳ ଘଟଣାକୁ ଗୁରୁତ୍ୱର ସହ ନେଇ ସତ୍ୟବାଦୀ ଥାନାରେ ଏକ ଅପରାଧିକ ମାମଲା ରୁଜୁ କରାଯାଇଛି । ସତ୍ୟବାଦୀ ଥାନା କେସ୍ ନଂ- ୩୦୦ରେ ଭାରତୀୟ ନ୍ୟାୟ ସଂହିତା, ୨୦୨୩ର ଧାରା ୨୯ (୬ ) (ସର୍ବସାଧାରଣ ସ୍ଥାନରେ ଅଶ୍ଳୀଳ ବ୍ୟବହାର), ୩୫୧(୨) (ଅପରାଧିକ ଧମକ), ୨୨୧ (ସରକାରୀ କର୍ମଚାରୀଙ୍କ କାର୍ଯ୍ୟରେ ବାଧା) ଏବଂ ୧୧୫(୨) (ସ୍ୱେଚ୍ଛାକୃତ ଭାବେ ଆଘାତ ପହଞ୍ଚାଇବା) ଅଧୀନରେ ମାମଲା ରୁଜୁ ହୋଇଛି। ସତ୍ୟବାଦୀ ଥାନା ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଅଭିଯୁକ୍ତଅନୁପ ବିଶ୍ୱାଳକୁ ପୋଲିସ ନିଜ ହେପାଜତକୁ ନେଇ ପଚରାଉଚରା କରିଛି ।
ଉଲ୍ଲେଖ ଯୋଗ୍ୟ, ଗତ ୯ ତାରିଖ ଦିନ ପ୍ରାର୍ଥନା ସଭା ଚାଲିଥିବାବେଳେ କିଛି ପିଲା ଯୋଗ ଦେଇନଥିଲେ । ଖେଳ ଶିକ୍ଷକ ସେମାନଙ୍କୁ ଦେଖି ତାଗିଦ କରିଥିଲେ । ଏହାକୁ ନେଇ ଜଣେ ପିଲା ତାଙ୍କ ବାପାଙ୍କୁ କହିବା ପରେ ବାପା ବିଦ୍ୟାଳୟ ଭିତରେ ପଶି ସମ୍ପୃକ୍ତ ଖେଳ ଶିକ୍ଷକଙ୍କୁ ଗାଳି ଗୁଲଜ କରିଥିଲେ । ଯାହା ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଛାତ୍ରଙ୍କ ମାଆ ଆସି ବିଦ୍ୟାଳୟରେ କ୍ଷମା ପ୍ରାର୍ଥନା ମାଗିଥିଲେ । ପ୍ରଧାନ ଶିକ୍ଷକ ଏ ବିଷୟରେ ସଜ୍ଞାନ ନେବା ପରେ ଖେଳ ଶିକ୍ଷକଙ୍କୁ ଯୋଗାଯୋଗ କରିଥିଲେ । ଥାନାରେ ଏତଲା ଦେବାକୁ ମଧ୍ୟ ପରାମର୍ଶ ଦେଇଥିଲେ । ମାତ୍ର ଶିକ୍ଷକ ଜଣକ ଥାନାକୁ ମାମଲା ନେବାକୁ ରାଜି ହୋଇନଥିଲେ । ସେ ଜଣେ ଅପରାଧି ଶ୍ରେଣୀର ବ୍ୟକ୍ତି ହୋଇଥିବାରୁ କେହି ତାଙ୍କ ବିରୁଦ୍ଧରେ ମୁହଁ ଖୋଲିବାକୁ ସାହାସ କରୁନଥିଲେ ବୋଲି ଚର୍ଚ୍ଚା ହେଉଛି ।