ଭୁବନେଶ୍ୱର: ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ପାଠ୍ୟପୁସ୍ତକର ପ୍ରସ୍ତୁତି, ଅନୁମୋଦନ ଏବଂ ପ୍ରକାଶନ ପ୍ରକ୍ରିୟାରେ ହୋଇଥିବା ଅନିୟମିତତାର କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇଛି । ମୁଖ୍ୟ ତଦନ୍ତକାରୀ ଅଧିକାରୀ ତଥା କ୍ରାଇମବ୍ରାଞ୍ଚ ଡିଏସପି ନରେନ୍ଦ୍ର କୁମାର ବେହେରାଙ୍କ ନେତୃତ୍ୱରେ ଖୋଳତାଡ଼ ଆରମ୍ଭ ହୋଇଛି । ମୁଖ୍ୟ ତଦନ୍ତକାରୀ ଅଧିକାରୀ ପ୍ରଥମ ଆକ୍ସନ ସ୍ୱରୂପ କ୍ରାଇମବ୍ରାଞ୍ଚ ବିବାଦୀୟ ଅଧିକାରୀ ତଥା ଏସ୍ସିଇଆର୍ଟି ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ଅଟକ ରଖିଛି । ମନୋଜ ପାଢ଼ୀଙ୍କୁ ତାଙ୍କ ବାସଭବନରୁ ନେଇ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ଜେରା ଆରମ୍ଭ ହୋଇଛି । କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ସୂଚନା ଦେଇଛନ୍ତି ।
ମନୋଜ ପାଢ଼ୀ ପୂର୍ବରୁ ବିବାଦରେ ରହିଆସିଛନ୍ତି । ଶାସକ ଦଳର ୧୫ ଜଣ ବିଧାୟକ ଏବଂ ସାଂସଦ ନବ ଚରଣ ମାଝୀ ମଧ୍ୟ ମନୋଜ ପାଢ଼ୀଙ୍କ ବିରୋଧରେ ସରକାରଙ୍କୁ ଚିଠି ଲେଖି ଅଭିଯୋଗ କରିଥିଲେ। ଏପରି ଅଭିଯୋଗ ସତ୍ତ୍ୱେ ସେ ପାଠ୍ୟପୁସ୍ତକ ପ୍ରସ୍ତୁତ କରୁଥିବା ସଂସ୍ଥାର ମୁଖ୍ୟ ଭାବେ ଦାୟିତ୍ୱରେ ରହିଥିଲେ । ତାଙ୍କୁ ଏହି ପଦରୁ ହଟାଇବାକୁ ବିଧାୟକମାନେ ଲିଖିତ ଆକାରରେ ଦେଇଥିଲେ । କ୍ରାଇମବ୍ରାଞ୍ଚ ତମାମ ଦିଗକୁ ନେଇ ତଦନ୍ତ କରିବ । ବିଶେଷ କରି ଟେଣ୍ଡର ପ୍ରକ୍ରିୟା ଏବଂ ଆର୍ଥିକ କାରବାର ପ୍ରମୁଖ ପ୍ରସଙ୍ଗ ରହିଛି ।
ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ବୟାନ ଦେଇ କହିଥିଲେ ଯେ ସରକାରଙ୍କୁ ବଦନାମ କରିବାକୁ ଏକ ବଡ଼ ଷଡ଼ଯନ୍ତ୍ର ହୋଇଛି । ତେବେ ଏହି ଷଡ଼ଯନ୍ତ୍ରରେ କିଏ ସାମିଲ ରହିଛନ୍ତି ତାହା ଖୋଜି ବାହାର କରିବ କ୍ରାଇମବ୍ରାଞ୍ଚ । ସରକାରଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି ଏସ୍ସିଇଆର୍ଟି ନିର୍ଦ୍ଦେଶିକା ମଧୁସ୍ମିତା ସାହୁଙ୍କ ଲିଖିତ ଅଭିଯୋଗକୁ ଆଧାର କରି କ୍ରାଇମବ୍ରାଞ୍ଚ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଗଠିତ ହୋଇଛି । ଏସସିଇଆରଟି ନିର୍ଦ୍ଦେଶିକାଙ୍କ ଏତଲା ଆଧାରରେ କ୍ରାଇମବ୍ରାଞ୍ଚରେ ମାମଲା ନଂ–୦୮/୨୦୨୬ ରୁଜୁ କରାଯାଇଛି । ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍), ୨୦୨୩ର ଧାରା ୩୧୬(୫), ୨୦୧, ୩(୫) ଏବଂ ୬୧(୨) ଅନୁଯାୟୀ ମାମଲା ରୁଜୁ ହୋଇଛି । କ୍ରାଇମବ୍ରାଞ୍ଚ ଏସ୍ପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଡିଏସ୍ପି ନରେନ୍ଦ୍ର କୁମାର ବେହେରାଙ୍କୁ ଏହି ସମ୍ବେଦନଶୀଳ ମାମଲାର ମୁଖ୍ୟ ତଦନ୍ତକାରୀ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି।
ଖାଲି ସେତିକି ନୁହେଁ ତଦନ୍ତକୁ ବ୍ୟାପକ ଓ ନିରପେକ୍ଷ ଭାବେ ପରିଚାଳନା କରିବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ଏକାଧିକ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ କରାଯାଇଛି। ଏହି ଟିମ୍ ପାଠ୍ୟପୁସ୍ତକ ପ୍ରସ୍ତୁତି, ବିଷୟବସ୍ତୁ ଚୟନ, ଅନୁମୋଦନ, ମୁଦ୍ରଣ, ପ୍ରକାଶନ ଏବଂ ବଣ୍ଟନ ପର୍ଯ୍ୟନ୍ତ ସମଗ୍ର ପ୍ରକ୍ରିୟାର ପ୍ରତ୍ୟେକ ପର୍ଯ୍ୟାୟକୁ ତନ୍ନ ତନ୍ନ କରି ଯାଞ୍ଚ କରାଯିବ । ଆବଶ୍ୟକ ସ୍ଥଳେ ସମ୍ପୃକ୍ତ ଦସ୍ତାବିଜ, ରେକର୍ଡ ଓ ଅନ୍ୟାନ୍ୟ ସାକ୍ଷ୍ୟ ସଂଗ୍ରହ କରାଯିବା ସହ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପଚରାଉଚରା କରାଯିବ।