ପୁଣେ: ବହୁ ଚର୍ଚ୍ଚିତ ପୁଣେର ବ୍ୟବସାୟୀ କେତନ ଅଗୱାଲଙ୍କ ହତ୍ୟା ମାମଲାର ତଦନ୍ତ ଜାରି ରହିଛି । ଏହା ମଧ୍ୟରେ ତାଙ୍କ ମାଆ ରାକ୍ଷୀ ଅଗୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖିଛନ୍ତି । ଏଥିରେ ସେ ନିଜ ପୁଅ ପାଇଁ ନ୍ୟାୟର ଗୁହାରି କରିଛନ୍ତି । ଏହା ସହିତ କହିଛନ୍ତି, ତାଙ୍କୁ କୌଣସି ପ୍ରକାରର ସହାନୁଭୂତି କି ଦୟାର ଆବଶ୍ୟକ ନୁହେଁ, କେତନର ହତ୍ୟାକାରୀଙ୍କୁ କଠୋର ଶାସ୍ତି ମିଳୁ ଏହା ହିଁ ତାଙ୍କର ଦାବି । ଯୁବ ଉଦ୍ୟୋଗପତି କେତନଙ୍କ ଲୋନାଭଲା ସ୍ଥିତ ଲୋହାଗଡ ଫୋର୍ଟରୁ ଖସି ମୃତ୍ୟୁ ହୋଇଥିଲା । ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ତାଙ୍କ ବାନ୍ଧବୀ ସିୟା ଗୋଏଲ ଓ ତାଙ୍କ ପ୍ରେମିକ ଚୌଧୁରୀ ।
ଋାକ୍ଷୀ ଅଗୱାଲ ଲେଖିଛନ୍ତି, ମୁଁ କେବେ ବି ଚିନ୍ତା କରି ନ ଥିଲି ଯେ, ମୋ ପୁଅକୁ ନ୍ୟାୟ ଦେବା ପାଇଁ ଆପଣଙ୍କୁ ଚିଠି ଲେଖିବାକୁ ପଡିବ। ପ୍ରତିଟି ମାଆଙ୍କ ପରି ମୁଁ ମଧ୍ୟ କେତନର ସୁଖଦ ଜୀବନ, ବିବାହ କରିବା ଏବଂ ଆମ ସହିତ ବଡ ହୋଇ ରହିବା ଦେଖିବାକୁ ଚାହୁଁଥିଲି। କିନ୍ତୁ ସ୍ଥିତି ଏମିତି ହେଲା ଯେ, ମୋତେ ମୋ ପୁଅର ଅନ୍ତିମ ସଂସ୍କାର କରିବାକୁ ପଡିଲା । ଜଣେ ମାଆ ପାଇଁ ଏଥିରୁ ଆଉ କୌଣସି ଯନ୍ତ୍ରଣା ହିଁ ନାହିଁ ।
ସେ ଲେଖିଛନ୍ତି, ପୁଅକୁ କ୍ରୁରତାର ସହ ହତ୍ୟା କରାଗଲା ଏବଂ ତା ସହିତ ପୂରା ଦୁନିଆ ଚାଲିଗଲା । କେତନଙ୍କ ମୃତ୍ୟୁ ପରେ ପରିବାର ଶ୍ୱଶୁରଙ୍କ ମୃତ୍ୟୁ ରୂପେ ଦ୍ୱିତୀୟ ଦୁଃଖଦ ଘଟଣା ସହିଲା । ସେ କେତନଙ୍କୁ ବହୁତ ଭଲ ପାଉଥିଲେ । ସେ ନିଜ ନାତିଙ୍କୁ ହରାଇବାର ଦୁଃଖ ବରଦାସ୍ତ କରି ପାରିଲେ ନାହିଁ । କିଛି ଦିନ ଭିତରେ ପରିବାର ଦୁଇ ପିଢିକୁ ହରାଇ ଦେଲା ।
ପିଏମଙ୍କୁ ଅପିଲ
ସେ ଲେଖିଛନ୍ତି, ମୋଦୀ ଜୀ ମୁଁ କେବଳ ଜଣେ ମାଆ । ମୁଁ କୌଣସି ସହାନୁଭୂତି କି ଦୟା ଚାହୁଁନାହିଁ । ମୁଁ କେବଳ ନ୍ୟାୟ ମାଗୁଛି । ନ୍ୟାୟ ବିନା କଟୁଥିବା ପ୍ରତିଟି ଦିନ ଆମକୁ ଯନ୍ତ୍ରଣା ଦେଇ ଚାଲିଛି । କେତନ ତ ଆଉ ଫେରିବ ନାହିଁ, ମାତ୍ର ତାର ହତ୍ୟା ପାଇଁ ଦାୟୀ ଲୋକଙ୍କୁ କଠୋର ସଜା ମିଳିବା ଉଚିତ୍ । ବାସ୍ କେବଳ ଏତିକି ଚାହୁଁଛି ମୋ ପୁଅକୁ ନ୍ୟାୟ ମିଳୁ ।
Also read: ୨୦୨୮-୨୯ ପାଇଁ ୟୁଏନ୍ଏସ୍ସି ଆସନ ପାଇଁ ଭାରତ ପକ୍ଷରୁ ବିଡ୍ ଦାଖଲ