ଭୁବନେଶ୍ୱର: ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରାକୁ ନେଇ ଇସ୍କନ ଦୁଇ ଫାଳ । ପୁରୀ ଶ୍ରୀମନ୍ଦିର ରୀତିନୀତି ଅନୁଯାୟୀ ରଥଯାତ୍ରା ପାଳନ କରିବାକୁ ବେଙ୍ଗାଲୁରୁ ଇସ୍କନ ପ୍ରତିଶ୍ରୁତି ଦେଇଛି । ଗଜପତି ମହାରାଜଙ୍କ ଚିଠିର ଉତ୍ତର ଦେଇ ବେଙ୍ଗାଲୁରୁ ଇସ୍କନ ପୂର୍ଣ୍ଣ ସମର୍ଥନ କରିଛି ।
ଶ୍ରୀ ଜଗନ୍ନାଥ ରଥଯାତ୍ରା ସମ୍ପର୍କରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ୨୧ ଏପ୍ରିଲରେ ଲେଖିଥିବା ଚିଠିରେ ବେଙ୍ଗାଲୁରୁ ଇସ୍କନ ପକ୍ଷରୁ ଦିଆଯାଇଛି । ବେଙ୍ଗାଲୁରୁ ଇସ୍କନର ଗଭର୍ଣ୍ଣିଂ ବଡି କମିଶନର ଅଧ୍ୟକ୍ଷ ମଧୁ ପଣ୍ଡିତ ଦାସ, ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ଚିଠି ଲେଖି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ଗ୍ଲୋବାଲ ହରେକୃଷ୍ଣ ମୁଭମେଣ୍ଟର ସମସ୍ତ କେନ୍ଦ୍ରରେ ଶ୍ରୀମନ୍ଦିର ରୀତିନୀତି ଅନୁଯାୟୀ ସ୍ନାନ ଯାତ୍ରା ଏବଂ ରଥଯାତ୍ରା ପାଳନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।
ସେ ଚିଠିରେ ସ୍ପଷ୍ଟ କରିଛନ୍ତି ଯେ, ବେଙ୍ଗାଲୁରୁ ଇସ୍କନ, ପଶ୍ଚିମବଙ୍ଗର ମାୟାପୁରରେ ମୁଖ୍ୟାଳୟ ଥିବା ଅନ୍ୟ ଇସ୍କନ ସଂଗଠନଠାରୁ ସମ୍ପୂର୍ଣ୍ଣ ଭିନ୍ନ ଏବଂ ସ୍ୱାଧୀନ । ମାୟାପୁର ଇସ୍କନ ପ୍ରତିଷ୍ଠାନ ମୁମ୍ବାଇରେ ପଞ୍ଜୀକୃତ ହୋଇଥିବା ବେଳେ ବେଙ୍ଗାଲୁରୁ ଇସ୍କନ ସୋସାଇଟି କର୍ଣ୍ଣାଟକରେ ପଞ୍ଜୀକୃତ ଅଟେ । ସେଥିପାଇଁ ମାୟାପୁର ଇସ୍କନ କମିଟି ମୁମ୍ବାଇ ଦ୍ୱାରା ପରିଚାଳିତ, ଯେଉଁଠାରେ ବିଦେଶୀ ଭକ୍ତଙ୍କ ସଂଖ୍ୟା ଅଧିକ । କିନ୍ତୁ କର୍ଣ୍ଣାଟକ ଇସ୍କନ ପୁରୀ ଶ୍ରୀମନ୍ଦିରର ରୀତିନୀତିକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପ୍ରତିଶ୍ରୁତିବଦ୍ଧ ।