ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ନିର୍ବାଚମଣ୍ଡଳୀରେ ବେଲପାହାଡ଼ ରାଜନୀତିରେ ବିଜେଡ଼ିକୁ ବଡ଼ ଝଟକା ଲାଗିଛି । ବେଲପାହାଡ଼ର ବରିଷ୍ଠ ବିଜେଡି ନେତା ହିତେଶ ଠକ୍କରଙ୍କୁ ବିଜେଡିରୁ ନିଲମ୍ବିତ କରାଯିବା ପରେ ଦଳରେ ବିଦ୍ରୋହ ସୃଷ୍ଟି ହୋଇଛି । ବେଲପାହାଡ଼ ପୌରପରିଷଦର ଉପାଧ୍ୟକ୍ଷା ରୀନା ସୁନା ଏବଂ ୯ ଜଣ କାଉନସିଲର ସହ ୩୦୦ କର୍ମୀ ଦଳରୁ ଇସ୍ତଫା ଦେଇଛନ୍ତି । ଏହା ସହିତ ଦଳର ଜିଲ୍ଲା ସାମାଜିକ ଗଣମାଧ୍ୟମ ସୋସିଆଲ ମିଡିଆ ସଂଯୋଜକ ତୌଷିଫ ଆଲାମ ମଧ୍ୟ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି।
ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଉପାଧ୍ୟକ୍ଷା ରୀନା ସୁନା ସୂଚନା ଦେଇ କହିଛନ୍ତି ଯେ, ସେମାନେ ନିଜ ନିଜର ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇବେ। ଦଳ ମଧ୍ୟରେ ସେମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ଅଭିଯୋଗ କରିଛନ୍ତି । ଏହା ସହିତ କୌଣସି ନିର୍ଦ୍ଦିଷ୍ଟ କାରଣ ନଥାଇ ବେଲପାହାଡ଼ର ବରିଷ୍ଠ ବିଜେଡି ନେତା ହିତେଶ ଠକ୍କରଙ୍କୁ ଦଳରୁ ନିଲମ୍ବନ କରାଯାଇଥିବାରୁ, ଏହାର ପ୍ରତିବାଦରେ ଏହି ସମୂହ ଇସ୍ତଫା ଦିଆଯାଉଛି ବୋଲି ସେ ପ୍ରକାଶ କରିଛନ୍ତି।
ହିତେଶ ଠକ୍କରଙ୍କ ନିଲମ୍ବନ ପରେ ଦଳୀୟ କର୍ମକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା, ଯାହା ଶେଷରେ ଏହି ବଡ଼ ଧରଣର ଇସ୍ତଫା ରୂପ ନେଇଛି।