କେନ୍ଦ୍ରାପଡ଼ା: ଆସନ୍ତା ଜୁଲାଇ ୧୬ରେ ଅନୁଷ୍ଠିତ ହେବାକୁ ଥିବା ପ୍ରସିଦ୍ଧ ବଳଦେବଜୀଉ ମନ୍ଦିରର ରଥଯାତ୍ରା ପୂର୍ବରୁ ବ୍ରହ୍ମ ତାଳଧ୍ୱଜ ରଥର ସୁରକ୍ଷାକୁ ନେଇ ବଡ଼ ପଦକ୍ଷେପ ନିଆଯାଇଛି। ଭୁବନେଶ୍ୱର ଆଇଆଇଟି (IIT-Bhubaneswar) ରଥର ବିସ୍ତୃତ ବୈଷୟିକ ଯାଞ୍ଚ କରି କିଛି ଗୁରୁତ୍ୱପୂର୍ଣ୍ଣ ତ୍ରୁଟି ଚିହ୍ନଟ କରିବା ସହ ଏହାର ସୁରକ୍ଷିତ ରଥଟଣା ପାଇଁ ଏକାଧିକ ଇଞ୍ଜିନିୟରିଂ ପରାମର୍ଶ ଦେଇଛି।
ଗତବର୍ଷ ରଥଯାତ୍ରା ସମୟରେ ପ୍ରାୟ ୬୭ ଫୁଟ ଉଚ୍ଚ ବ୍ରହ୍ମ ତାଳଧ୍ୱଜ ରଥର କେତେକ ଚକରେ ଫାଟ ସୃଷ୍ଟି ହୋଇଥିଲା। ଫଳରେ ରଥଟି ସାମାନ୍ୟ ଢଳି ପଡ଼ିଥିଲା। ଏହି ଘଟଣା ପରେ ରଥର ସୁରକ୍ଷା ନେଇ ଚିନ୍ତା ବଢ଼ିଥିଲା। ଏହାପରେ ବଳଦେବଜୀଉ ମନ୍ଦିର ପ୍ରଶାସନ ଆଇଆଇଟି-ଭୁବନେଶ୍ୱରର ବୈଷୟିକ ସହଯୋଗ ଲୋଡ଼ିଥିଲା।
ଆଇଆଇଟିର ବିଶେଷଜ୍ଞ ଦଳ ରଥର ଗଠନ, ଚକ, ଅକ୍ସେଲ ଓ ଅନ୍ୟାନ୍ୟ ଅଂଶର ସୂକ୍ଷ୍ମ ଯାଞ୍ଚ କରିଥିଲେ। ଯାଞ୍ଚ ପରେ ରଥର ବ୍ରେକିଂ ବ୍ୟବସ୍ଥାକୁ ଅଧିକ ମଜବୁତ କରିବା ପାଇଁ ବାଲି ବସ୍ତା, କାଠର ଷ୍ଟପର ଓ ଶୁଖିଲା ବାଲି ବ୍ୟବହାର କରିବାକୁ ପରାମର୍ଶ ଦେଇଛି। ସେହିପରି ରଥର ଉପର ଅଂଶ ଓ ମୂଳ ଭାଗର ସଂଯୋଗକୁ ଅଧିକ ଦୃଢ଼ କରିବା, ଚକ ଓ ଅକ୍ସେଲକୁ ଅଧିକ ସଠିକ୍ ଭାବେ ପ୍ରସ୍ତୁତ କରିବା, ରଥ ଟାଣିବା ଦଉଡ଼ିର ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ଏବଂ ଚକର ଲୁବ୍ରିକେସନ୍ ବ୍ୟବସ୍ଥାକୁ ଉନ୍ନତ କରିବାକୁ କୁହାଯାଇଛି।
କେବଳ ରଥ ନୁହେଁ, ରଥ ଚାଲୁଥିବା ପ୍ରାୟ ୨ କିଲୋମିଟର ଲମ୍ବା ବଡ଼ଦାଣ୍ଡର ଗଠନରେ ମଧ୍ୟ ସୁଧାର ଆଣିବାକୁ ଆଇଆଇଟି ପରାମର୍ଶ ଦେଇଛି। ବିଶେଷ କରି ରାସ୍ତାର ସମତଳକରଣ ଓ ଡ୍ରେନେଜ୍ ବ୍ୟବସ୍ଥାର ଉନ୍ନତି କଲେ ରଥର ସୁରକ୍ଷିତ ଗତି ସୁନିଶ୍ଚିତ ହେବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।
ଆଇଆଇଟି-ଭୁବନେଶ୍ୱରର ସ୍କୁଲ ଅଫ୍ ମେକାନିକାଲ ସାଇନ୍ସେସ୍ର ସହକାରୀ ପ୍ରଫେସର ଡ. ମାନସ ରଞ୍ଜନ ପଟ୍ଟନାୟକ କହିଛନ୍ତି, ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ୱଜ ରଥ ଓଡ଼ିଶାର ପାରମ୍ପରିକ କାଠ କାରିଗରୀ ଓ ପ୍ରାଚୀନ ଇଞ୍ଜିନିୟରିଂ କୌଶଳର ଏକ ଜୀବନ୍ତ ନିଦର୍ଶନ। ବଂଶାନୁକ୍ରମିକ କାରିଗରମାନେ ପ୍ରତିବର୍ଷ ଏହି ରଥ ନିର୍ମାଣ କରୁଥିଲେ ମଧ୍ୟ ଆଧୁନିକ ଇଞ୍ଜିନିୟରିଂ ଉପକରଣରେ ଏହାର ବୈଜ୍ଞାନିକ ବିଶ୍ଳେଷଣ ପୂର୍ବରୁ କେବେ କରାଯାଇନଥିଲା। ଏଥର ରଥର ସ୍ଥାୟୀତ୍ୱ, ସୁରକ୍ଷା ଓ ଡିଜିଟାଲ ଡକ୍ୟୁମେଣ୍ଟେସନ୍ ପାଇଁ ଏକ ଦୀର୍ଘମିଆଦି ଯୋଜନା ମଧ୍ୟ ପ୍ରସ୍ତୁତ କରାଯାଇଛି।
ବଳଦେବଜୀଉ ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ ବଳଭଦ୍ର ପାତ୍ରୀ କହିଛନ୍ତି, ଆଇଆଇଟି ପକ୍ଷରୁ ଦିଆଯାଇଥିବା ଅନେକ ପରାମର୍ଶକୁ ଚଳିତ ବର୍ଷର ରଥଯାତ୍ରା ପୂର୍ବରୁ କାର୍ଯ୍ୟକାରୀ କରାଯାଇଛି। ଏହାଦ୍ୱାରା ରଥଯାତ୍ରା ଅଧିକ ସୁରକ୍ଷିତ ହେବା ସହ ଶହ ଶହ ବର୍ଷର ଏହି ଐତିହ୍ୟବାହୀ ପରମ୍ପରାକୁ ଅକ୍ଷୁଣ୍ଣ ରଖିବାରେ ସହାୟକ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।