ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ସ୍ଥିତିକୁ ନେଇ ସରକାର ସତର୍କ ହୋଇପଡ଼ିଛନ୍ତି। ସମ୍ଭାବ୍ୟ ସଂକ୍ରମଣ ବୃଦ୍ଧିକୁ ଆଖିଆଗରେ ରଖି ମଙ୍ଗଳବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହେଉଛି। ବୈଠକରେ ରାଜ୍ୟର ବର୍ତ୍ତମାନ କୋଭିଡ୍ ପରିସ୍ଥିତି, ସ୍ୱାସ୍ଥ୍ୟ ବ୍ୟବସ୍ଥାର ପ୍ରସ୍ତୁତି ଓ ଆଗାମୀ କାର୍ଯ୍ୟଯୋଜନା ଉପରେ ବିସ୍ତୃତ ଆଲୋଚନା ଚାଲିଛି।
ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ସ୍ୱାସ୍ଥ୍ୟ ସଚିବ, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଛନ୍ତି। ହସ୍ପିଟାଲଗୁଡ଼ିକରେ ବେଡ୍, ଅକ୍ସିଜେନ, ଔଷଧ ମହଜୁଦ, ଚିକିତ୍ସା ସୁବିଧା ଓ ଜରୁରୀ ପରିସ୍ଥିତିରେ ସ୍ୱାସ୍ଥ୍ୟ ସେବାକୁ କିପରି ଆହୁରି ସୁଦୃଢ଼ କରାଯିବ, ସେନେଇ ସମୀକ୍ଷା କରାଯାଉଛି।
ଏହାସହ କୋଭିଡ୍ ସଂକ୍ରମଣ ବଢ଼ିଲେ ତୁରନ୍ତ କିପରି ପଦକ୍ଷେପ ନିଆଯିବ ଏବଂ ଲୋକଙ୍କ ସୁରକ୍ଷା ପାଇଁ କେଉଁ ପ୍ରକାର ବ୍ୟବସ୍ଥା କରାଯିବ, ସେନେଇ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇପାରେ। ରାଜ୍ୟ ସରକାର ପରିସ୍ଥିତି ଉପରେ ସତର୍କ ନଜର ରଖିଥିବା ବେଳେ, ଆବଶ୍ୟକ ପଡ଼ିଲେ ତୁରନ୍ତ ପଦକ୍ଷେପ ନେବାକୁ ପ୍ରଶାସନ ପ୍ରସ୍ତୁତ ଥିବା ସୂଚନା ମିଳିଛି।