ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଖ୍ରୀଷ୍ଟଧର୍ମ ପ୍ରଚାରକ ଗ୍ରାହାମ ଷ୍ଟେନ୍ସ ଓ ଦୁଇ ପୁଅ ହତ୍ୟା ମାମଲାରେ ସର୍ବୋଚ୍ଚ ଅଦାଲତ ରାୟ ପ୍ରକାଶ କରିଛନ୍ତି । ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଦାରା ସିଂ ଓରଫ ରବୀନ୍ଦ୍ର ପାଳ ସିଂକୁ ଜେଲରୁ ମୁକ୍ତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ଅଗଷ୍ଟ ୧୫ ତାରିଖ ସୁଦ୍ଧା ତାଙ୍କୁ ଜେଲରୁ ମୁକ୍ତ କରିବାକୁ ମଙ୍ଗଳବାର ସୁପ୍ରିମକୋର୍ଟ ଶୁଣାଣିରେ ନିର୍ଦ୍ଦେଶ ଦେଇଛନ୍ତି ।
ଗ୍ରାହାମ ଷ୍ଟେନ୍ସ ଓ ତାଙ୍କର ଦୁଇ ପୁଅ ଫିଲିପ୍ ଓ ଟିମୋଥିଙ୍କ ହତ୍ୟା ମାମଲାରେ ଦାରା ସିଂ ଦୀର୍ଘ ୨୫ରୁ ଅଧିକ ସମୟ ହେବ ସଜା କାଟୁଛନ୍ତି । ଗତ ଜୁଲାଇ ୬ରେ ଓଡ଼ିଶା ରାଜ୍ୟ ଦଣ୍ଡ ପୁନର୍ବିଚାର ବୋର୍ଡ ଆଜୀବନ କାରାଦଣ୍ଡ ଭୋଗୁଥିବା ୫୬ ଜଣ କଏଦୀଙ୍କ ନିର୍ଦ୍ଧାରିତ ଅବଧି ପୂର୍ବରୁ ମୁକ୍ତି ପାଇଁ ଦାଖଲ ହୋଇଥିବା ଆବେଦନର ସମୀକ୍ଷା କରି ସୁପ୍ରିମକୋର୍ଟକୁ ଅବଗତ କରାଇଥିଲେ । ଦାରା ସିଂହଙ୍କ ମୁକ୍ତି ଆବେଦନର ଆଜି ଶୁଣାଣି ହୋଇଛି । ଆସନ୍ତା ଅଗଷ୍ଟ ୧୫ ତାରିଖ ସୁଦ୍ଧା ତାଙ୍କୁ ଜେଲରୁ ମୁକ୍ତ କରିବାକୁ ସୁପ୍ରିମକୋର୍ଟ ଆଦେଶରେ କହିଛନ୍ତି । ଯଦି ମୁକ୍ତି ନ ମିଳେ ତେବେ ଅଗଷ୍ଟ ୧୯ରେ ପୁନଃଶୁଣାଣି ହେବ ବୋଲି ଦାରା ସିଂଙ୍କ ଓକିଲ ଏପି ସିଂ କହିଛନ୍ତି ।
କ'ଣ ରହିଛି ମାମଲା ?
୧୯୯୯ ମସିହା ଜାନୁଆରୀ ୨୨-୨୩ ରାତିରେ କେନ୍ଦୁଝର ଜିଲ୍ଲା ମନୋହରପୁର ଗ୍ରାମରେ ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଥିଲା । ଜଣେ ଅଷ୍ଟ୍ରେଲିୟ ଖ୍ରୀଷ୍ଟ ଧର୍ମ ପ୍ରଚାରକ ଥିଲେ ଗ୍ରାହାମ ଷ୍ଟେନ୍ସ ଓ ତାଙ୍କର ଦୁଇ ନାବାଳକ ପୁଅ ଫିଲିପ (୧୦ ବର୍ଷ) ଓ ଟିମୋଥିଙ୍କ (୬ ବର୍ଷ)ଙ୍କୁ ଜୀଅନ୍ତା ଜାଳି ଦିଆଯାଇଥିଲା । ରାତି ଅଧିରେ ଗାଡିରେ ଶୋଇଥିବାବେଳେ ସେମାନଙ୍କୁ ଜୀବନ୍ତ ଦଗ୍ଧ କରିଦିଆଯାଇଥିଲା ।
୨୦୦୩ ମସିହାରେ ଭୁବନେଶ୍ୱରର ସିବିଆଇ ଅଦାଲତ ଦାରା ସିଂହଙ୍କୁ ମୃତ୍ୟୁଦଣ୍ଡ ଏବଂ ଅନ୍ୟ ଜଣେ ଅଭିଯୁକ୍ତ ମହେନ୍ଦ୍ର ହେମ୍ବ୍ରମଙ୍କୁ ଆଜୀବନ କାରାଦଣ୍ଡ ପ୍ରଦାନ କରିଥିଲେ । ଅନ୍ୟ ୧୧ ଜଣଙ୍କୁ ମୁକ୍ତ କରାଯାଇଥିଲା। କିନ୍ତୁ ୨୦୦୫ରେ ହାଇକୋର୍ଟ ଦାରା ସିଂଙ୍କ ମୃତ୍ୟୁଦଣ୍ଡକୁ କୋହଳ କରି ଆଜୀବନ କାରାଦଣ୍ଡରେ ପରିଣତ କରିଥିଲେ । ୨୦୧୧ରେ ସୁପ୍ରିମ୍କୋର୍ଟ ହାଇକୋର୍ଟଙ୍କ ଆଦେଶକୁ କାଏମ୍ ରଖିଥିଲେ । ଗତବର୍ଷ ଏପ୍ରିଲ ୧୬ ତାରିଖରେ ଦାରା ସିଂଙ୍କ ସହଯୋଗୀ ମହେନ୍ଦ୍ର ହେମ୍ବ୍ରମକୁ ମୁକ୍ତି ମିଳିସାରିଛି । ସେ ମଧ୍ୟ ଏହି ଘଟଣାରେ ଆଜୀବନ କାରାଦଣ୍ଡ ଭୋଗୁଥିଲେ। ଜେଲରେ ଉତ୍ତମ ଆଚରଣ ପାଇଁ ମହେନ୍ଦ୍ର ହେମ୍ବ୍ରମଙ୍କୁ ମୁକ୍ତ କରାଯାଇଛି।