ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଶାସ୍ତ୍ରୀନଗର ଟ୍ରାଫିକ୍ ସିଗନାଲ ନିକଟରେ ସୋମବାର ବିଳମ୍ବିତ ରାତିରେ ଘଟିଛି ଏକ ହୃଦୟବିଦାରକ ସଡ଼କ ଦୁର୍ଘଟଣା। ଏକ ଦ୍ରୁତଗାମୀ ମର୍ସିଡିଜ୍ କାର୍ ପଛପଟୁ ଏକ ବାଇକ୍କୁ ଧକ୍କା ଦେବାରୁ ବାଇକ୍ ଚାଳକଙ୍କ ଘଟଣାସ୍ଥଳରେ ଗୁରୁତର ଆହତ ହୋଇ ପରେ ମୃତ୍ୟୁ ଘଟିଛି। ମୃତକ ହେଲେ ନୂଆସାହି ଅଞ୍ଚଳର ଦେବୀ ପ୍ରସାଦ ରାଉତରାୟ।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଗତକାଲି ରାତିରେ ଦେବୀ ପ୍ରସାଦ ଟ୍ରାଫିକ୍ ସିଗନାଲରେ ଅପେକ୍ଷା କରିଥିବା ବେଳେ ପଛପଟୁ ଦ୍ରୁତ ବେଗରେ ଆସୁଥିବା ପଶ୍ଚିମବଙ୍ଗ ନମ୍ବର ବିଶିଷ୍ଟ ଏକ ମର୍ସିଡିଜ୍ କାର୍ ତାଙ୍କ ବାଇକ୍କୁ ଜୋରଦାର ଧକ୍କା ଦେଇଥିଲା। ଧକ୍କା ଏତେ ଜୋର୍ ଥିଲା ଯେ ସେ ବାଇକ୍ରୁ ଛିଟିକି ପଡ଼ିଥିଲେ ଏବଂ ପ୍ରାୟ ୧୫୦ରୁ ୨୦୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ହୋଇଯାଇଥିବା ପ୍ରତ୍ୟକ୍ଷଦର୍ଶୀମାନେ ଅଭିଯୋଗ କରିଛନ୍ତି। ଧକ୍କାର ତୀବ୍ରତା ଏପରି ଥିଲା ଯେ କାର୍ର ଏୟାରବ୍ୟାଗ୍ ମଧ୍ୟ ଖୋଲିଯାଇଥିଲା।
ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଏବଂ ପୁଲିସ ମିଳିତା ଭାବେ ଗୁରୁତର ଆହତ ଦେବୀ ପ୍ରସାଦଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଘଟଣା ପରେ କାର୍ରେ ଥିବା ଜଣେ ପୁରୁଷ ଓ ଜଣେ ମହିଳାଙ୍କୁ ସ୍ଥାନୀୟ ଲୋକ ଅଟକ ରଖିଥିଲେ। କେତେକ ପ୍ରତ୍ୟକ୍ଷଦର୍ଶୀ ସେମାନେ ମଦ୍ୟପାନ କରିଥିବା ଅଭିଯୋଗ କରିଥିଲେ। ତେବେ ଏହି ଅଭିଯୋଗକୁ ପୁଲିସ ପକ୍ଷରୁ ଏପର୍ଯ୍ୟନ୍ତ ସରକାରୀ ଭାବେ ସ୍ପଷ୍ଟ କରାଯାଇନାହିଁ। ଖବର ପାଇ ଖାରବେଳ ନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଥାନାକୁ ନେଇଥିଲା।
ଏହି ଦୁର୍ଘଟଣାକୁ ନେଇ କିଛି ସମୟ ପାଇଁ ଉତ୍ତେଜନା ସୃଷ୍ଟି ହେବା ସହ ପ୍ରାୟ ଦୁଇ ଘଣ୍ଟା ଧରି ରାସ୍ତା ଅବରୋଧ ହୋଇଥିଲା। ଫଳରେ ସେହି ଅଞ୍ଚଳରେ ଯାତାୟାତ ବ୍ୟବସ୍ଥା ବ୍ୟାହତ ହୋଇଥିଲା।
ମୃତକଙ୍କ ପତ୍ନୀ ଖାରବେଳ ନଗର ଥାନାରେ ଏତଲା ଦାଖଲ କରି ଦୋଷୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ପୁଲିସ ମାମଲା ରୁଜୁ କରି ମର୍ସିଡିଜ୍ କାର୍ର ଚାଳକ ଓ ଗାଡ଼ିରେ ଥିବା ଲୋକଙ୍କ ପରିଚୟ ସହ ଦୁର୍ଘଟଣାର ପ୍ରକୃତ କାରଣ ନେଇ ତଦନ୍ତ ଜାରି ରଖିଛି।