ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଐତିହାସିକ ତଥା ଚର୍ଚ୍ଚିତ ଭୋଜଶାଳା-କମାଲ ମୌଲା ମସଜିଦ୍ ବିବାଦ ମାମଲାରେ ସୁପ୍ରିମକୋର୍ଟଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଆଭିମୁଖ୍ୟ ସାମ୍ନାକୁ ଆସିଛି। ଏହି ସମ୍ବେଦନଶୀଳ ମାମଲାର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ଉଭୟ ହିନ୍ଦୁ ଏବଂ ମୁସଲିମ ପକ୍ଷକୁ ଶାନ୍ତି ଓ ଧୈର୍ଯ୍ୟ ବଜାୟ ରଖିବାକୁ ପରାମର୍ଶ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ, ଏହି ଜଟିଳ ବିବାଦର ସ୍ଥାୟୀ ସମାଧାନ ପାଇଁ ନ୍ୟାୟାଳୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି, ତେଣୁ କେହି ହେଲେ ବି ବିବ୍ରତ କିମ୍ବା ଉତ୍ତେଜିତ ହେବା ଆବଶ୍ୟକ ନାହିଁ।
କୋର୍ଟ କହିଲେ- 'ଆମ ଉପରେ ଭରସା ରଖନ୍ତୁ'
ଜଷ୍ଟିସ୍ ହୃଷିକେଶ ରାୟ ଏବଂ ଜଷ୍ଟିସ୍ ଏସ.ଭି.ଏନ. ଭଟ୍ଟିଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ସ୍ୱତନ୍ତ୍ର ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି। ଶୁଣାଣି ସମୟରେ କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଆଇନଗତ ପ୍ରକ୍ରିୟା ମାଧ୍ୟମରେ ଏହାର ସଠିକ୍ ନିଷ୍କର୍ସ ବାହାର କରାଯିବ। ସୁପ୍ରିମକୋର୍ଟ କହିଛନ୍ତି, ଏହି ବିବାଦର ଏକ ଶାନ୍ତିପୂର୍ଣ୍ଣ ଓ ଆଇନଗତ ସମାଧାନ ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ। ତେବେ ଏଥିପାଇଁ ଉଭୟ ପକ୍ଷଙ୍କୁ କିଛି ମାତ୍ରାରେ ଧୈର୍ଯ୍ୟ ଧରିବାକୁ ପଡ଼ିବ। କୋର୍ଟ ସବୁ ଦିଗ ପ୍ରତି ନଜର ରଖିଛନ୍ତି।"
କାହିଁକି ବଢ଼ିଛି ବିବାଦ ?
ମଧ୍ୟପ୍ରଦେଶର ଧାର୍ ଜିଲ୍ଲାରେ ଅବସ୍ଥିତ ଏହି ଶତାବ୍ଦୀ ପୁରୁଣା ପୀଠକୁ ନେଇ ଦୀର୍ଘ ଦିନ ହେବ ଦ୍ୱନ୍ଦ୍ୱ ଲାଗି ରହିଛି। ହିନ୍ଦୁ ପକ୍ଷଙ୍କ ଦାବି ଏହା ହେଉଛି ବାଗ୍ଦେବୀ (ମା' ସରସ୍ୱତୀ)ଙ୍କର ଏକ ପ୍ରାଚୀନ ମନ୍ଦିର ଏବଂ ଏଠାରେ ପୂଜା କରିବାର ସମ୍ପୂର୍ଣ୍ଣ ଅଧିକାର ମିଳିବା ଉଚିତ୍। ମୁସଲିମ ପକ୍ଷଙ୍କ ଦାବି ସେମାନେ ଏହାକୁ କମାଲ ମୌଲା ମସଜିଦ୍ ବୋଲି ଦର୍ଶାଇ ଏଠାରେ ନମାଜ ପଢ଼ିବା ପାଇଁ ଅନୁମତି ଦାବି କରିଆସୁଛନ୍ତି।
ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଦ୍ୱାରା ଏହି ସ୍ଥାନର ହୋଇଥିବା ବୈଜ୍ଞାନିକ ସର୍ଭେ ରିପୋର୍ଟ ଆସିବା ପରେ ମାମଲା ଆହୁରି ଗମ୍ଭୀର ରୂପ ଧାରଣ କରିଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ASI ଏଠାରେ ଖନନ ଓ ସର୍ଭେ କାର୍ଯ୍ୟ କରି କୋର୍ଟରେ ରିପୋର୍ଟ ଦାଖଲ କରିଥିଲା, ଯାହାକୁ ମୁସଲିମ ପକ୍ଷ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି।
କୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ଓ ଆଗାମୀ ଶୁଣାଣି
ସୁପ୍ରିମକୋର୍ଟ ପୂର୍ବରୁ ମଧ୍ୟ ଏହି ମାମଲାରେ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଜାରି କରି ସର୍ଭେ ଉପରେ ସମ୍ପୂର୍ଣ୍ଣ ରୋକ ଲଗାଇବାକୁ ମନା କରିଦେଇଥିଲେ, କିନ୍ତୁ କହିଥିଲେ ଯେ କୋର୍ଟଙ୍କ ବିନା ଅନୁମତିରେ ସେହି ପରିସର ମଧ୍ୟରେ କୌଣସି ନୂଆ ନିର୍ମାଣ କିମ୍ବା ଢାଞ୍ଚାଗତ ପରିବର୍ତ୍ତନ କରାଯାଇପାରିବ ନାହିଁ।
Also Read: ମୋଦୀ ଜୀ ଦୟା ନୁହେଁ କେବଳ ନ୍ୟାୟ ମାଗୁଛି, ପିଏମଙ୍କୁ ଏମିତି କହିଲେ କେତନ ଅଗୱାଲଙ୍କ ମାଆ