ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଦିଲ୍ଲୀ ଲାଲକିଲ୍ଲା ଆତ୍ମଘାତୀ ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା ଜଣେ ଆତଙ୍କବାଦୀଙ୍କ ସମେତ ୧୨ ଜଣଙ୍କର ଅନ୍ତିମ ସଂସ୍କାର କରାଯିବ । ଦୀର୍ଘ ୮ ମାସ ପରେ ସମସ୍ତ ମୃତକଙ୍କ ଅନ୍ତିମ ସଂସ୍କାର ପାଇଁ ପଟିଆଲା ହାଉସ କୋର୍ଟଙ୍କ ଅନୁମତି ମିଳିଛି । ଜାତୀୟ ତଦନ୍ତ ସଂସ୍ଥା ବା ଏନ୍ଆଇଏକୁ ଅନ୍ତିମ ସଂସ୍କାର ପାଇଁ ସ୍ୱତନ୍ତ୍ର ବିଚାରପତି ପୀତାମ୍ବର ଦତ୍ତ ଅନୁମତି ପ୍ରଦାନ କରିଛନ୍ତି ।
କୋର୍ଟ ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି ଯେ ସମସ୍ତ ମୃତକଙ୍କ ଶବ ସତ୍କାର ସମ୍ପୂର୍ଣ୍ଣ ଧାର୍ମିକ ରୀତିନୀତିରେ ମର୍ଯ୍ୟାଦାର ସହିତ ସମ୍ପନ୍ନ କରାଯିବ । ଏଥିପାଇଁ ଅଦାଲତ ଏନ୍ଆଇଏର ସ୍ପଷ୍ଟୀକରଣ ମାଗିଛନ୍ତି । ଆତଙ୍କବାଦୀ ଡାକ୍ତର ଉମର ଉନ ନବୀର ଶରୀର ଧିରେ ଧିରେ ସଢ଼ିଯିବାରୁ ସମ୍ପୂର୍ଣ୍ଣ ମର୍ଯ୍ୟାଦା ସହିତ ସମସ୍ତ ପ୍ରମାଣ ସଂଗ୍ରହ କରିବାକୁ କୋର୍ଟ ଏନ୍ଆଇଏକୁ ଅନୁମତି ଦେଇଛନ୍ତି । ନବୀର ମୃତ ଶରୀରରୁ ସମସ୍ତ ପ୍ରମାଣ ସଂଗ୍ରହ କରାଯାଇଥିବା ଏନ୍ଆଇଏ କୋର୍ଟଙ୍କୁ ଅବଗତ କରାଇଥିଲା । ଏହା ପରେ ତାର ଶବ ସତ୍କାର ପାଇଁ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି ।
ପ୍ରକାଶ ଯୋଗ୍ୟ, ଗତବର୍ଷ ନଭେମ୍ବର ୧୦ ତାରିଖରେ ରାଜଧାନୀ ଦିଲ୍ଲୀ ଆତ୍ମଘାତୀ ବିସ୍ଫୋରଣରେ ଥରି ଉଠିଥିଲା । ଯେଉଁଥିରେ ଆତ୍ମଘାତୀ ଆତଙ୍କବାଦୀ ଡାକ୍ତର ଉମର ନବୀ ଏବଂ ଅନ୍ୟ ୧୧ ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଥିଲା । ୧୪ ମେ, ୨୦୨୬ରେ ଏନ୍ଆଇଏ ୭୫୦୦ ପୃଷ୍ଠା ସମ୍ବଳିତ ପ୍ରଥମ ଚାର୍ଜସିଟ ଦାଖଲ କରିଥିଲା । ଯେଉଁଥିରେ ୧୦ ଜଣଙ୍କ ଦୋଷୀ ଦର୍ଶାଯାଇଥିଲା । ପରବର୍ତ୍ତୀ ସମୟରେ ଗତ ମାସରେ ଏନ୍ଆଇଏ ଆଉ ୩ ଜଣ ଅଭିଯୁକ୍ତଙ୍କ ନାମ ଚାର୍ଜସିଟରେ ଯୋଡ଼ିଥିଲା । ଯାହାକୁ ମିଶାଇ ଦିଲ୍ଲୀ ବିସ୍ଫୋରଣରେ ମୋଟ ୧୩ ଜଣଙ୍କୁ ଦୋଷୀ ଦର୍ଶାଇଯାଇଛି ।