ପୁରୀ: ରଥଯାତ୍ରାକୁ ନେଇ ପୁରୀରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେଉଥିବା ବେଳେ ସକ୍ରିୟ ହୋଇଉଠିଛନ୍ତି ସାଇବର ଠକ। ନକଲି ହୋଟେଲ ବୁକିଂ, ପ୍ରସାଦ ଦାନ ଓ ଭୁଆ ୱେବସାଇଟ୍ ଜରିଆରେ ଲୋକଙ୍କୁ ଠକିବା ପାଇଁ ଚକ୍ରାନ୍ତ ଚାଲିଥିବାରୁ ଏବେ ଆକ୍ସନ ମୋଡ୍କୁ ଆସିଛି ରାଜ୍ୟ ସିଆଇଡି-କ୍ରାଇମବ୍ରାଞ୍ଚ। ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କୁ ସାଇବର ଠକେଇରୁ ସୁରକ୍ଷା ଦେବା ପାଇଁ ଆରମ୍ଭ କରାଯାଇଛି ‘ସାଇବର ସାଥୀ’ ଅଭିଯାନ।
ଏହି ସ୍ୱତନ୍ତ୍ର ଅଭିଯାନରେ କ୍ରାଇମବ୍ରାଞ୍ଚ ଓ ପୁରୀ ପୋଲିସ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ୯ଟି ନକଲି ହୋଟେଲ ୱେବପେଜ୍କୁ ବନ୍ଦ କରାଯାଇଥିବା ବେଳେ ରଥଯାତ୍ରା ନାଁରେ ଠକେଇ କରୁଥିବା ୧୬ଟି URLକୁ ବ୍ଲକ୍ କରାଯାଇଛି। ଏହି URL ଗୁଡ଼ିକ ମାଧ୍ୟମରେ ଭୁଆ ହୋଟେଲ ବୁକିଂ, ପ୍ରସାଦ ଦାନ ଓ ବିଭିନ୍ନ ଆକର୍ଷଣୀୟ ଅଫର୍ ଦେଖାଇ ଲୋକଙ୍କ ଟଙ୍କା ଲୁଟିବାର ଉଦ୍ୟମ ହେଉଥିଲା।
ସୂଚନା ଅନୁସାରେ, ସାଇବର ଅପରାଧୀମାନେ ଅଧିକାରିକ ୱେବସାଇଟ୍ ଭଳି ଦେଖାଯାଉଥିବା ନକଲି ପୋର୍ଟାଲ୍ ତିଆରି କରି ଭକ୍ତମାନଙ୍କୁ ଫାନ୍ଦରେ ପକାଉଥିଲେ। ଏହାକୁ ଦୃଷ୍ଟିରେ ରଖି କ୍ରାଇମବ୍ରାଞ୍ଚର ଏକ ସ୍ୱତନ୍ତ୍ର ଟିମ୍ ପୁରୀର ୭ଟି ପ୍ରମୁଖ ହୋଟେଲ ପରିଦର୍ଶନ କରି ସେମାନଙ୍କ ୱେବସାଇଟ୍ର ସୁରକ୍ଷା ଯାଞ୍ଚ କରିବା ସହ ହୋଟେଲ ପରିଚାଳକ ଓ କର୍ମଚାରୀଙ୍କୁ ସାଇବର ସୁରକ୍ଷା ସମ୍ପର୍କରେ ସଚେତନ କରିଛନ୍ତି।
ଏହାସହ ପର୍ଯ୍ୟଟକ, ଶ୍ରଦ୍ଧାଳୁ ଓ ସ୍ଥାନୀୟ ଲୋକଙ୍କୁ ସାଇବର ଠକେଇରୁ ସତର୍କ ରହିବା ପାଇଁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଚାଲିଛି। ଓଡ଼ିଶା ପୋଲିସ ସ୍ପଷ୍ଟ ଭାବେ ପରାମର୍ଶ ଦେଇଛି ଯେ, କେବଳ ଅଧିକାରିକ ଓ ବିଶ୍ୱସନୀୟ ୱେବସାଇଟ୍ରୁ ହିଁ ହୋଟେଲ ବୁକିଂ କରନ୍ତୁ। ସୋସିଆଲ ମିଡିଆରେ ଆସୁଥିବା ଅଜଣା ଲିଙ୍କ୍, ଆକର୍ଷଣୀୟ ବିଜ୍ଞାପନ କିମ୍ବା ମେସେଜ୍ରେ ଥିବା ଲିଙ୍କ୍କୁ କ୍ଲିକ୍ କରିବା ପୂର୍ବରୁ ନିଶ୍ଚିତ ଯାଞ୍ଚ କରନ୍ତୁ।
ରଥଯାତ୍ରା ଭଳି ବିଶ୍ୱପ୍ରସିଦ୍ଧ ଉତ୍ସବରେ ଲକ୍ଷାଧିକ ଭକ୍ତଙ୍କ ଆସ୍ଥା ସହ ଖେଳିବାକୁ ଉଦ୍ୟମ କରୁଥିବା ସାଇବର ଠକଙ୍କ ବିରୋଧରେ ପୋଲିସର ଏହି ‘ସାଇବର ସାଥୀ’ ଅଭିଯାନ ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି। ପ୍ରଶାସନର ଲକ୍ଷ୍ୟ ସ୍ପଷ୍ଟ, ରଥଯାତ୍ରାକୁ କେବଳ ସୁରକ୍ଷିତ ନୁହେଁ, ବରଂ ସାଇବର ଅପରାଧମୁକ୍ତ କରିବା।