କୋରାପୁଟ: ବିବାହର ମିଛ ପ୍ରତିଶ୍ରୁତି ଦେଇ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ମାମଲାରେ କୋରାପୁଟ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ଙ୍କ ଅଦାଲତ କଠୋର ରାୟ ଶୁଣାଇଛନ୍ତି। ଅଭିଯୁକ୍ତଙ୍କୁ ୨୦ ବର୍ଷର ସଶ୍ରମ କାରାଦଣ୍ଡ (ଆର୍ଆଇ) ସହ ୨୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଦିଆଯାଇଛି। ଏଥିସହ ପୀଡ଼ିତାଙ୍କୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ମଧ୍ୟ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଅନୁସାରେ, ପୁରୁଣାଗଡ଼ ଅଞ୍ଚଳର ବାସିନ୍ଦା ମୃତ୍ୟୁଞ୍ଜୟ କଦମ୍ବାଲ ଜଣେ ନାବାଳିକାଙ୍କୁ ବିବାହ କରିବାର ପ୍ରଲୋଭନ ଦେଖାଇ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ଘଟଣା ପରେ ୨୦୨୪ ଜୁଲାଇ ୧୯ ତାରିଖରେ ଜୟପୁର ଟାଉନ୍ ଥାନାରେ ମାମଲା ରୁଜୁ ହୋଇଥିଲା। ପୋଲିସ ତଦନ୍ତ ପରେ ମାମଲାଟି ଅଦାଲତରେ ବିଚାରାଧୀନ ଥିଲା।
ମାମଲାର ଶୁଣାଣି କରି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ସୁଶ୍ରୀ ସଂଘମିତ୍ରା ଦାସ ଅଭିଯୁକ୍ତଙ୍କୁ ଭାରତୀୟ ନ୍ୟାୟ ସଂହିତା (BNS)ର ସମ୍ପୃକ୍ତ ଧାରା ଏବଂ ପୋକ୍ସୋ ଆଇନର ଧାରା-୬ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଥିଲେ। ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଜରିମାନା ଆଦାୟ କରିବାକୁ ରାୟରେ କୁହାଯାଇଛି। ଯଦି ଜରିମାନା ପରିଶୋଧ ନ କରନ୍ତି, ତେବେ ଅଭିଯୁକ୍ତଙ୍କୁ ଆହୁରି ୬ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡ଼ିବ। ଏହା ସହ ଜିଲ୍ଲା ଆଇନ ସେବା ପ୍ରାଧିକରଣ (DLSA) ମାଧ୍ୟମରେ ପୀଡ଼ିତାଙ୍କୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ମଧ୍ୟ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।
ଏହି ମାମଲାରେ ସ୍ୱତନ୍ତ୍ର ସରକାରୀ ଓକିଲ ପି. ସନ୍ୟାସୀ ରାଓ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରିଥିଲେ। ନାବାଳିକାଙ୍କ ବିରୋଧରେ ଯୌନ ଅପରାଧ ମାମଲାରେ ଏଭଳି କଠୋର ଦଣ୍ଡାଦେଶ ସମାଜକୁ ଏକ କଡ଼ା ବାର୍ତ୍ତା ଦେଇଛି ଯେ, ଶିଶୁଙ୍କ ସୁରକ୍ଷା ସହ ଖେଳୁଥିବା ଅପରାଧୀଙ୍କୁ ଆଇନ କେବେ ବି କ୍ଷମା କରିବ ନାହିଁ।