ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରାକୁ ଆଉ ମାତ୍ର ୨ ଦିନ ବାକି ଥିବାବେଳେ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୁଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ମକ୍ଡ୍ରିଲ୍ କରାଯାଉଛି। ପୁରୀ ରିଜର୍ଭ ପୁଲିସ ଲାଇନ୍ ପଡ଼ିଆ ଓ ସମୁଦ୍ରକୂଳରେ ଚାଲିଥିବା ଏହି ସୁରକ୍ଷା ଅଭ୍ୟାସରେ ରଥଯାତ୍ରା ସମୟର ବିଭିନ୍ନ ଜରୁରୀ ପରିସ୍ଥିତିର ମୁକାବିଲା ଉପରେ ଗୁରୁତ୍ୱ ଦିଆଯାଇଛି।
ଅତିରିକ୍ତ ଡିଜିଙ୍କ ଉପସ୍ଥିତିରେ ପୁଲିସ କର୍ମଚାରୀମାନେ ରଥର ଇନର ଓ ଆଉଟର କର୍ଡନ୍ ବ୍ୟବସ୍ଥା, ରଥଟଣା ବେଳେ ଭିଡ଼ ନିୟନ୍ତ୍ରଣ, ଆଇନ-ଶୃଙ୍ଖଳା ରକ୍ଷା ଓ ଆପାତକାଳୀନ ପରିସ୍ଥିତିରେ ତ୍ୱରିତ ପଦକ୍ଷେପ ନେବା ନେଇ ଅଭ୍ୟାସ କରିଛନ୍ତି। ବଡ଼ଦାଣ୍ଡରେ ଭକ୍ତଙ୍କ ସୁରକ୍ଷିତ ଚଳାଚଳ ଓ ଶୃଙ୍ଖଳିତ ରଥଟଣାକୁ ସୁନିଶ୍ଚିତ କରିବା ପାଇଁ ପ୍ରତ୍ୟେକ ଟିମ୍କୁ ସ୍ୱତନ୍ତ୍ର ଭାବେ ପ୍ରଶିକ୍ଷଣ ଦିଆଯାଇଛି।
ମକ୍ଡ୍ରିଲ୍ ମାଧ୍ୟମରେ କୌଣସି ଅପ୍ରୀତିକର ଘଟଣା, ଭିଡ଼ ଜନିତ ସମସ୍ୟା କିମ୍ବା ଜରୁରୀ ସ୍ଥିତିରେ କିପରି ତୁରନ୍ତ ଓ ସମନ୍ୱିତ ଭାବେ ପଦକ୍ଷେପ ନିଆଯିବ, ତାହାର ପରୀକ୍ଷା କରାଯାଇଛି।
ରଥଯାତ୍ରାକୁ ନିରାପଦ, ସୁବ୍ୟବସ୍ଥିତ ଓ ଶାନ୍ତିପୂର୍ଣ୍ଣ କରିବା ଲକ୍ଷ୍ୟରେ ପୁଲିସ ଓ ପ୍ରଶାସନର ଏହି ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଭକ୍ତଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ପୁରୀ ଏବେ ଐତିହାସିକ ଘୋଷଯାତ୍ରା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ।