ଭୁବନେଶ୍ୱରଉତ୍ତର ବଙ୍ଗୋପସାଗର ଓ ତାର ସଂଲଗ୍ନ ଦକ୍ଷିଣ ବାଂଲାଦେଶ ପାଖରେ ଘୁର୍ଣ୍ଣିବଳୟ ସକ୍ରିୟ ରହିଛି । ସମୁଦ୍ର ପତନ ଠାରୁ ୭.୬ ଉଚ୍ଚତା ପର୍ଯ୍ୟନ୍ତ ରହିଥିବା ବେଳେ ଉତ୍ତର ପଶ୍ଚିମକୁ ଢଳିକି ରହିଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ବଙ୍ଗୋପସାଗର ଓ ଏହାର ନିକଟବର୍ତୀ ପଶ୍ଚିମ ବଙ୍ଗଳାଦେଶ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆଗାମୀ ୪ ଦିନ ଯାଏ ପ୍ରବଳରୁ ଅତି ପ୍ରବଳ ଓ ଅତ୍ୟନ୍ତ ପ୍ରବଳ ବର୍ଷା ନେଇ ଚେତାବନୀ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଆଗାମୀ ୪୮ ଘଣ୍ଟା ପାଇଁ ରେଡ୍ ୱାର୍ଣ୍ଣିଂ ଏବଂ ଅରେଞ୍ଜ ଆଲର୍ଟ ଓଡ଼ିଶା ଉପରେ ରହିବ । ତିନି ଉପକୂଳବର୍ତ୍ତୀ ଜିଲ୍ଲା ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି ।
ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ସୂଚନା ଅନୁସାରେ, ଆସନ୍ତା ୨୪ ଘଣ୍ଟାରେ କେନ୍ଦ୍ରାପଡା, ଜଗତସିଂହପୁର ଓ ଭଦ୍ରକ ଏହି ୩ ଜିଲ୍ଲାରେ ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି । ପ୍ରାୟ ୨୦ ସେମିରୁ ଉର୍ଦ୍ଧ୍ୱ ବର୍ଷା ହୋଇପାରେ । ସେହିପରି ପ୍ରବଳରୁ ଅତି ପ୍ରବଳ ବର୍ଷାକୁ ନେଇ ବାଲେଶ୍ୱର ଯାଜପୁର, କଟକ, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ନୟାଗଡ଼, ମୟୁରଭଞ୍ଜ ଓ କେନ୍ଦୁଝର ଏହି ୧୦ ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା (୧୨ରୁ ୨୦ ସେମି.) ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ସେହିପରି ଢେଙ୍କାନାଳ, ଅନୁଗୁଳ, କନ୍ଧମାଳ, ବୌଦ୍ଧ ଦେଓଗଡ ଓ ସୁନ୍ଦରଗଡ ଏହି ୭ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।
ସେହିପରି ଆସନ୍ତାକାଲି ଜଗତସିଂହପୁରରେ ଭୀଷଣ ବର୍ଷା ନେଇ ରେଡ ଆଲର୍ଟ ଥିବା ବେଳେ କନ୍ଧମାଳ, ନୟାଗଡ, ଖୋର୍ଦ୍ଧା, କଟକ, ପୁରୀ, କେନ୍ଦ୍ରାପଡା, ଭଦ୍ରକ, ଯାଜପୁର ଓ କେନ୍ଦୁଝର ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ବିଭାଗ । ରାୟଗଡା,ଗଂଜାମ,ଗଜପତି, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ମୟୁରଭଞ୍ଜ, ବାଲେଶ୍ୱର, ଦେଓଗଡ, ସୁନ୍ଦରଗଡ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।
୧୭ ତାରିଖ ଯାଏ ରାଜ୍ୟରେ ବର୍ଷା ଜାରି ରହିବ । ଓଡ଼ିଶା ଉପକୂଳରେ ମେଘୁଆ ପାଗ ସହ ଘଣ୍ଟାପ୍ରତି ୪୫ ରୁ ୫୦ କିଲୋମିଟର ପବନ ବହିବାର ସମ୍ଭାବନା ରହିଛି । ସର୍ବାଧିକ ପବନର ବେଗ ୬୦ କିମି ରହିବ । ସେହିପରି ଆସନ୍ତା ୧୮ ତାରିଖ ଯାଏ ସମୁଦ୍ର ଆଶାନ୍ତ ରହିବ । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି।
ସ୍ୱାଭାବିକ ବର୍ଷା
ସେପଟେ ଜୁନ ୧ ରୁ ଏଯାବତ ୩୫୪.୭ ମିମି ହୋଇଥିବା ବେଳେ ସ୍ୱାଭାବିକ ବର୍ଷା ରହିଛି ୩୪୫.୫ । ଏହା ସ୍ୱାଭାବିକ ବର୍ଷାଠାରୁ ୪ ପ୍ରତିଶତ ଅଧିକ ବର୍ଷା ରାଜ୍ୟରେ ହୋଇଛି। ଅନ୍ୟପଟେ ଗତ ୨୪ ଘଂଟାରେ ୧୩ଟି ଜିଲ୍ଲାରେ ବର୍ଷା ସମ୍ଭାବନା ଥିବା ବେଳେ କେନ୍ଦ୍ରାପଡା ରାଜନଗରରେ ସର୍ବାଧିକ ୧୫୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।