ଭୁବନେଶ୍ୱର: ଓଡ଼ିଶା ଗଣଶିକ୍ଷା ବିଭାଗର ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ ବଡ଼ ପଦକ୍ଷେପ ନେଇଛି କ୍ରାଇମବ୍ରାଞ୍ଚ। SCERTର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ଆଜି ଗିରଫ କରାଯାଇଛି। ପ୍ରଥମେ ତାଙ୍କୁ ଦୀର୍ଘ ସମୟ ଧରି ପଚରାଉଚରା କରାଯିବା ପରେ କ୍ରାଇମବ୍ରାଞ୍ଚ ଗିରଫ କରିଥିବା ସୂଚନା ମିଳିଛି।
ପାଠ୍ୟପୁସ୍ତକରେ ଏକାଧିକ ତ୍ରୁଟିକୁ ନେଇ ରାଜ୍ୟବ୍ୟାପୀ ତୀବ୍ର ସମାଲୋଚନା ହୋଇଥିଲା। ଘଟଣାକୁ ଗୁରୁତ୍ୱର ସହ ନେଇ ମୁଖ୍ୟମନ୍ତ୍ରୀ ମାମଲାର ତଦନ୍ତ ଦାୟିତ୍ୱ କ୍ରାଇମବ୍ରାଞ୍ଚକୁ ଦେଇଥିଲେ। ତଦନ୍ତ ଆରମ୍ଭ ହେବା ପରେ କ୍ରାଇମବ୍ରାଞ୍ଚ ପର୍ଯ୍ୟାୟକ୍ରମେ ସମ୍ପୃକ୍ତ ଅଧିକାରୀଙ୍କୁ ଜେରା କରିଥିଲା। ଏହାରି ଭିତରେ ମନୋଜ ପାଢ଼ୀଙ୍କୁ ଗିରଫ କରାଯିବା ଏହି ମାମଲାରେ ସବୁଠାରୁ ବଡ଼ କାର୍ଯ୍ୟାନୁଷ୍ଠାନ ବୋଲି ଚର୍ଚ୍ଚା ହେଉଛି।
ଏହାପୂର୍ବରୁ ମନୋଜ ପାଢ଼ୀଙ୍କ ସହ ଅନ୍ୟ ୩ ଜଣ ସହକାରୀ ନିର୍ଦ୍ଦେଶକଙ୍କୁ ନିଲମ୍ବନ କରାଯାଇଥିଲା। ସେହିପରି ୬ ଜଣ ସହକାରୀ ନିର୍ଦ୍ଦେଶକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇଛି। ସରକାର ସ୍ପଷ୍ଟ କରିଛନ୍ତି ଯେ, ଏହି ଘଟଣାରେ କୌଣସି ଦୋଷୀଙ୍କୁ ଛାଡ଼ ଦିଆଯିବ ନାହିଁ।
ମନୋଜ ପାଢ଼ୀଙ୍କ ଗିରଫ ପରେ ଅନ୍ୟ ନିଲମ୍ବିତ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ଛନକା ପଶିଛି। କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଥିବାରୁ ଆଗାମୀ ଦିନରେ ଏହି ମାମଲାରେ ଆହୁରି ଅନେକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହୋଇପାରେ। ପାଠ୍ୟପୁସ୍ତକ ପ୍ରସ୍ତୁତିରେ ହୋଇଥିବା ତ୍ରୁଟି ପାଇଁ କିଏ କେତେ ଦାୟୀ, ତାହାର ସତ୍ୟ ସାମ୍ନାକୁ ଆଣିବାକୁ କ୍ରାଇମବ୍ରାଞ୍ଚ ତଦନ୍ତକୁ ଆହୁରି ଜୋରଦାର କରିଛି।