ଭୁବନେଶ୍ୱର: ରାଜଧାନୀର ଶାସ୍ତ୍ରୀନଗର ଛକରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ମାମଲାରେ ବଡ଼ ଖୁଲାସା କରିଛି କମିଶନରେଟ୍ ପୋଲିସ। ଦୁର୍ଘଟଣା ଘଟାଇଥିବା ମର୍ସିଡିଜ୍ କାର୍ ଚାଳକ ସୌମ୍ୟରଞ୍ଜନ ରଥଙ୍କୁ ଗିରଫ କରାଯାଇଛି। ସେ ଜଣେ ବେସରକାରୀ ବିଶ୍ୱବିଦ୍ୟାଳୟର ଆଇନ ଛାତ୍ର ହୋଇଥିବାବେଳେ, ଦୁର୍ଘଟଣା ସମୟରେ ସମ୍ପୂର୍ଣ୍ଣ ମଦ୍ୟପ ଅବସ୍ଥାରେ ଗାଡ଼ି ଚଲାଉଥିବା ବ୍ରେଥ୍ ଆନାଲାଇଜର୍ ଟେଷ୍ଟରୁ ସ୍ପଷ୍ଟ ହୋଇଛି।
ପୋଲିସ ସୂଚନା ଅନୁଯାୟୀ, ଗାଡ଼ି ଚଲାଇବା ସମୟରେ ରକ୍ତରେ ଆଲକୋହଲର ଅନୁମତିପ୍ରାପ୍ତ ସୀମା ୩୦ ମିଲିଗ୍ରାମ୍ ଥିବାବେଳେ ସୌମ୍ୟରଞ୍ଜନଙ୍କ ଶରୀରରେ ୧୨୭ ମିଲିଗ୍ରାମ୍ ଆଲକୋହଲ୍ ମିଳିଛି। ଅର୍ଥାତ୍ ସେ ନିର୍ଦ୍ଧାରିତ ସୀମାଠାରୁ ପ୍ରାୟ ଚାରି ଗୁଣା ଅଧିକ ମଦ୍ୟପାନ କରି ଷ୍ଟିୟରିଂ ଧରିଥିଲେ। ଏହି ରିପୋର୍ଟ ସମସ୍ତଙ୍କୁ ଚକିତ କରିଥିବାବେଳେ ରାଜଧାନୀରେ ମଦ୍ୟପ ଗାଡ଼ି ଚାଳନାକୁ ନେଇ ପୁଣି ଚିନ୍ତା ବଢ଼ାଇଛି।
ଗତକାଲି ରାତି ପ୍ରାୟ ୧୦ଟା ୪୦ ମିନିଟ୍ରେ ଶାସ୍ତ୍ରୀନଗର ଛକରେ ଟ୍ରାଫିକ୍ ସିଗନାଲ୍ ବନ୍ଦ ଥିବା ସମୟରେ ସୌମ୍ୟରଞ୍ଜନ ତାଙ୍କ ବାନ୍ଧବୀଙ୍କ ସହ ଜୟଦେବ ବିହାର ପଟରୁ ଅତ୍ୟଧିକ ବେଗରେ ମର୍ସିଡିଜ୍ କାର୍ ଚଳାଇ ଆସୁଥିଲେ। ସେହି ସମୟରେ ବିପରୀତ ଦିଗରୁ ଆସୁଥିବା ବାଇକ୍ ସହ କାର୍ର ସାମ୍ନାସାମ୍ନି ଧକ୍କା ହୋଇଥିଲା। ଏହି ଭୟଙ୍କର ଧକ୍କାରେ ବାଇକ୍ ଚାଳକ ଦେବୀ ପ୍ରସାଦ ରାଉତରାୟଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା।
ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ସୌମ୍ୟରଞ୍ଜନ ଓ ତାଙ୍କ ବାନ୍ଧବୀଙ୍କୁ ଅଟକ ରଖିଥିଲେ। ପରେ ଖାରବେଳ ନଗର ଥାନା ପୋଲିସ ପହଞ୍ଚି ଅଭିଯୁକ୍ତଙ୍କୁ ହେପାଜତକୁ ନେଇଥିଲା। ତଦନ୍ତ ପରେ ସୌମ୍ୟରଞ୍ଜନଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (BNS)ର ବେପରୁଆ ଗାଡ଼ି ଚାଳନା, ଉଦ୍ଦେଶ୍ୟ ନଥାଇ ନରହତ୍ୟା, ଅବହେଳା ଯୋଗୁଁ ମୃତ୍ୟୁ ଘଟାଇବା ସହ ମୋଟର ଯାନ ଆଇନର ମଦ୍ୟପାନ କରି ଗାଡ଼ି ଚଳାଇବା ସମ୍ବନ୍ଧୀୟ ଦଫାରେ ମାମଲା ରୁଜୁ କରାଯାଇଛି।
ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ। ଆଇନ ଅନୁଯାୟୀ ଦୋଷୀ ସାବ୍ୟସ୍ତ ହେଲେ ତାଙ୍କୁ ୫ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ହୋଇପାରେ। ଏହି ଘଟଣା କେବଳ ଏକ ସଡ଼କ ଦୁର୍ଘଟଣା ନୁହେଁ, ବରଂ ମଦ୍ୟପାନ କରି ବେପରୁଆ ଗାଡ଼ି ଚାଳନା କିପରି ନିରୀହ ଲୋକଙ୍କ ଜୀବନ ଛଡ଼ାଇ ନେଉଛି, ତାହାର ଆଉ ଏକ ଦୁଃଖଦ ଉଦାହରଣ। ଘଟଣା ପରେ ରାଜଧାନୀରେ ସଡ଼କ ସୁରକ୍ଷା, ଟ୍ରାଫିକ୍ ନିୟନ୍ତ୍ରଣ ଓ ମଦ୍ୟପ ଡ୍ରାଇଭିଂ ବିରୋଧୀ କଡ଼ା ପଦକ୍ଷେପକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି।