ଆନ୍ଧ୍ରପ୍ରଦେଶରେ ପୁଣିଥରେ କୋଭିଡ୍ ସଂକ୍ରମଣକୁ ନେଇ ଚିନ୍ତା ବଢ଼ିଛି। କଡ଼ପ୍ପା ଜିଲ୍ଲାରେ କୋଭିଡ୍ ସଂକ୍ରମଣ ସହ ଜଡ଼ିତ ଦୁଇଟି ମୃତ୍ୟୁ ଘଟଣା ସାମ୍ନାକୁ ଆସିବା ପରେ ସୀମାନ୍ତ ଓଡ଼ିଶାରେ ହାଇଆଲର୍ଟ ଜାରି କରାଯାଇଛି। ଆଗକୁ ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ରଥଯାତ୍ରା ଥିବାରୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କୌଣସି ବିପଦକୁ ହାଲୁକା ଭାବେ ନେବାକୁ ଚାହୁଁନାହିଁ।
ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ରବୀନ୍ଦ୍ରନାଥ ମିଶ୍ର ସ୍ପଷ୍ଟ କରିଛନ୍ତି ଯେ, ଓଡ଼ିଶାରେ ବର୍ତ୍ତମାନ କୋଭିଡ୍ ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି। ତଥାପି ପଡ଼ୋଶୀ ରାଜ୍ୟରେ ସଂକ୍ରମଣ ଓ ମୃତ୍ୟୁ ଘଟଣାକୁ ଦୃଷ୍ଟିରେ ରଖି ଆନ୍ଧ୍ର ସୀମାନ୍ତ ଜିଲ୍ଲାର ସମସ୍ତ CDMOଙ୍କୁ ସତର୍କ କରାଯାଇଛି। ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲରେ ନିୟମିତ କୋଭିଡ୍ ପରୀକ୍ଷା କରିବା ସହ ସନ୍ଦିଗ୍ଧ ରୋଗୀଙ୍କୁ ତୁରନ୍ତ ଟେଷ୍ଟ କରିବାକୁ ନିର୍ଦ୍ଦେଶ ମିଳିଛି।
ବିଶେଷକରି ଜ୍ୱର, କାଶ, ଗଳାବ୍ୟଥା, ଶ୍ୱାସକଷ୍ଟ ଭଳି ଲକ୍ଷଣ ଦେଖାଦେଲେ ବିଳମ୍ବ ନକରି କୋଭିଡ୍ ପରୀକ୍ଷା କରାଇବାକୁ ପରାମର୍ଶ ଦିଆଯାଇଛି। ସଂକ୍ରମଣ ଚିହ୍ନଟ ହେଲେ ପ୍ରଚଳିତ କୋଭିଡ୍ ଗାଇଡଲାଇନ୍ ଅନୁଯାୟୀ ଚିକିତ୍ସା ଓ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।
ସୂଚନା ଅନୁଯାୟୀ, କଡ଼ପ୍ପା ଜିଲ୍ଲାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଚାରି ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ତିନି ଜଣ ଘରେ ସଙ୍ଗରୋଧରେ ଥିବା ବେଳେ ଜଣେ ହସ୍ପିଟାଲର ସ୍ୱତନ୍ତ୍ର କୋଭିଡ୍ ୱାର୍ଡରେ ଚିକିତ୍ସାଧୀନ ଅଛନ୍ତି। ଚିନ୍ତାର ବିଷୟ ହେଉଛି, ସମସ୍ତ ସଂକ୍ରମିତ ପୂର୍ବରୁ କୋଭିଡ୍ ଟିକାର ଦୁଇଟି ଡୋଜ୍ ନେଇଥିଲେ ଏବଂ ଜଣେ ବୁଷ୍ଟର ଡୋଜ୍ ମଧ୍ୟ ନେଇଥିଲେ।
ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ, ଭୟଭୀତ ହେବାର ଆବଶ୍ୟକତା ନାହିଁ, କିନ୍ତୁ ସତର୍କ ରହିବା ଜରୁରୀ। ବିଶେଷକରି ରଥଯାତ୍ରା ଭଳି ବୃହତ୍ ଜନସମାଗମ ପୂର୍ବରୁ ଅସୁସ୍ଥ ଲାଗିଲେ ଭିଡ଼ରୁ ଦୂରେ ରହିବା, ପରୀକ୍ଷା କରାଇବା ଓ ଡାକ୍ତରଙ୍କ ପରାମର୍ଶ ମାନିବାକୁ ଅନୁରୋଧ କରାଯାଇଛି। ସରକାର କହିଛନ୍ତି, ରାଜ୍ୟରେ ପ୍ରତିକ୍ଷଣ ପରିସ୍ଥିତି ଉପରେ ନଜର ରଖାଯାଉଛି ଏବଂ ଆବଶ୍ୟକ ପଡ଼ିଲେ ତୁରନ୍ତ ଅଧିକ କଠୋର ପଦକ୍ଷେପ ନିଆଯିବ।