ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ଧିରେ ଧିରେ ଅଶାନ୍ତ ହେବାକୁ ଲାଗିଛି କଲେଜ୍ କ୍ୟାମ୍ପସ୍ । ରମାଦେବୀ ବିଶ୍ୱବିଦ୍ୟାଳୟ ପରେ ରାଜଧାନୀ କଲେଜରେ ଛାତ୍ର ଅଶାନ୍ତି ଦେଖାଦେଇଛି । ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିବା ଜଣାପଡ଼ିଛି ।
ଅଣଛାତ୍ର ମୁକ୍ତ, ନିଶା ମୁକ୍ତ କ୍ୟାମ୍ପସ, ସିସିଟିଭି ଲଗାଇବା ପାଇଁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ରାଜଧାନୀ କଲେଜ ସମ୍ମୁଖରେ ପ୍ରତିବାଦ କରାଯାଇଥିଲା । ଏହି କଲେଜ ଅଧ୍ୟକ୍ଷ ମଧ୍ୟ ଆନ୍ଦୋଳନରତ ଛାତ୍ରଙ୍କୁ ଭେଟିଥିଲେ । ଏହା ପରେ ପରେ କୌଣସି କାରଣବଶତଃ ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଏପରିକି ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା । ଏଥିରେ ଜଣେ ଛାତ୍ର ଆହତ ହୋଇଛନ୍ତି । ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ତୁରନ୍ତ ପୋଲିସ କଲେଜରେ ପହଁଚିଥିଲା । ପୋଲିସ କିଛି ଛାତ୍ରଙ୍କୁ ଉଠାଇ ନେବା ସହିତ ଉତ୍ତେଜନା ପରିସ୍ଥିତିକୁ ଦେଖି ପୋଲିସ ଫୋର୍ସ ମୁତୟନ କରାଯାଇଛି । ତେବେ କାହିଁକି ଗଣ୍ଡଗୋଳ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ ।
ଉଲ୍ଲେଖ ଯୋଗ୍ୟ, ଗତ କିଛି ଦିନ ତଳେ ରମାଦେବୀ ବିଶ୍ୱବିଦ୍ୟାଳୟରେ ଦୁଇ ଛାତ୍ରଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ବ୍ୟାନର୍ ମରାକୁ କେନ୍ଦ୍ର କରି ଅଣଛାତ୍ର ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ଗୋଟିଏ ଗୋଷ୍ଠୀ ବିଶ୍ୱବିଦ୍ୟାଳୟ ଗେଟରେ ତାଲା ପକାଇ ଦେଇଥିଲେ ।