ଗଞ୍ଜାମ: ଭଞ୍ଜନଗର ଉପଖଣ୍ଡର ଜଗନ୍ନାଥପ୍ରସାଦ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଜଣେ ଆୟୁଷ ଡାକ୍ତରଙ୍କ କ୍ଲିନିକରେ ଚିକିତ୍ସା ପାଇଁ ଯାଇଥିବା ସମୟରେ ନାବାଳିକା ଅସଦାଚରଣର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି। ଘଟଣା ପରେ ପରିବାର ପକ୍ଷରୁ ଜଗନ୍ନାଥପ୍ରସାଦ ଥାନାରେ ଲିଖିତ ଅଭିଯୋଗ ଦାଖଲ କରାଯାଇଛି।
ସୂଚନା ଅନୁଯାୟୀ, ସମ୍ପୃକ୍ତ ଆୟୁଷ ଡାକ୍ତର ଦଶପଲ୍ଲା ଅଞ୍ଚଳରେ ଚାକିରି କରୁଥିବା ବେଳେ ନିଜ ଗାଁ ଜଗନ୍ନାଥପ୍ରସାଦ ନିକଟରେ ଏକ ବେସରକାରି କ୍ଲିନିକ ଚଳାଉଥିଲେ। ନାବାଳିକା ଜଣକ ପରିବାର ସଦସ୍ୟଙ୍କ ସହ ଚିକିତ୍ସା ପାଇଁ ସେଠାକୁ ଯାଇଥିବାବେଳେ ତାଙ୍କ ସହ ଅନୁଚିତ ବ୍ୟବହାର କରାଯାଇଥିବା ଅଭିଯୋଗ ଉଠିଛି। ଘଟଣା ଘଟିବା ପରେ ପରିବାର ଲୋକେ ଏହାକୁ ଗୁରୁତ୍ୱର ସହ ନେଇ ପୁଲିସର ଦ୍ୱାରସ୍ଥ ହୋଇଛନ୍ତି।
ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି। ନାବାଳିକାଙ୍କ ପରିବାର ପକ୍ଷରୁ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ଅନ୍ୟପଟେ, ପୁଲିସ ଅଭିଯୋଗକୁ ଆଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଉଥିବା ସହ କ୍ଲିନିକ ସମ୍ପର୍କିତ ତଥ୍ୟ ମଧ୍ୟ ସଂଗ୍ରହ କରାଯାଉଛି।
ପୁଲିସ କହିଛି, ଘଟଣାର ସମସ୍ତ ପାଟି ଖତିଆନ କରାଯାଉଛି ଏବଂ ତଦନ୍ତରେ ଯାହା ତଥ୍ୟ ସାମ୍ନାକୁ ଆସିବ, ତାହା ଆଧାରରେ ପରବର୍ତ୍ତୀ ଆଇନଗତ ପଦକ୍ଷେପ ନିଆଯିବ। ତେବେ ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ଅଭିଯୋଗର ସମ୍ପୂର୍ଣ୍ଣ ସତ୍ୟାସତ୍ୟ ସ୍ପଷ୍ଟ ହୋଇନଥିବା ପୁଲିସ ପକ୍ଷରୁ କୁହାଯାଇଛି।