ଭଦ୍ରକ: ମୁଁ ବଞ୍ଚିଛି ପୁଅ, ମୋ ପୁଅ ମାନେ ୪୦ ବର୍ଷ ହେଲା ମୋତେ ମାରିଦେଇଛନ୍ତି । ଆଉ ମୋ ନାଁରେ ଥିବା ଥିବା ଘର ଓ ଜମି ପାଇଁ ଦୁଇ ପୁଅ ମୋତେ ଘରୁ ତଡ଼ି ଦେଇଛନ୍ତି । ଶେଷରେ ବୃଦ୍ଧ ବୟସରେ ମାଆ ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଭଦ୍ରକ ଜିଲ୍ଲା ଧାମନଗର ତହସିଲ ଅଧୀନ ଜୟନଗର ର ବାସିନ୍ଦା ଆଇସା ବିବି (୬୪) ଏଭଳି ଅଭିଯୋଗ ଆଣିଛନ୍ତି ।
ଆଇସା ବିବି କହିଛନ୍ତି ଯେ ତାଙ୍କର ୨ ପୁଅ ଓ ୬ ଝିଅ ଅଛନ୍ତି । ସେ ହଜ କରିବା ପାଇଁ ସାଉଦି ଯାଇଥିଲେ । ସେଠାରୁ ଫେରିବା ପରେ ଦୁଇ ପୁଅ ଓ ବହୁ ନିସ୍ତୁକ ମାଡ ମାରି ଘରୁ କାଢ଼ିଦେଲେ । ନିଜ ନାମରେ ଥିବା ୧୪ ଡିସିମିଲ ଜମି ଏବଂ ଘର ବାଡ଼ି ସବୁକିଛି ତାଙ୍କ ଅଜଣାତରେ ପୁଅମାନେ ନିଜ ନାମରେ କରି ନେଇଛନ୍ତି ।
ପରବର୍ତ୍ତୀ ସମୟରେ ତାଙ୍କ ଯେଉଁ ତଥ୍ୟ ମିଳିଛି ଆଇସା ବିବିଙ୍କ ଆହୁରି ଆଚମ୍ବିତ କରିଛି । ଭଦ୍ରକର ସୂଚନାଧିକାର କର୍ମୀ ସୂଚନା ଅଧିକାର ବଳରେ ସେ ଜାଣିବାକୁ ପାଇଛନ୍ତି ଯେ ରେକର୍ଡରେ ସେ ୪୦ ବର୍ଷ ହେଲାଣି ମରିଯାଇଛନ୍ତି । ୨୦୨୫ ମସିହାରେ ଆଇସାଙ୍କ ଦୁଇ ପୁଅ ଏକ ଘୋଷଣା ନାମା ଦେଇଥିଲେ ଯେ ତାଙ୍କ ମାଆ ୪୦ ବର୍ଷ ପୂର୍ବରୁ ମରି ଯାଇଛନ୍ତି ଓ ସେମାନଙ୍କର ଅନ୍ୟ କୌଣସି ଅଂଶୀଦାର ନାହାନ୍ତି । ଆଉ ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ମଧ୍ୟ ବିନା କୌଣସି ଯାଞ୍ଚରେ ଦୁଇ ପୁଅଙ୍କ ଏଭଳି ଦାବିକୁ ମାନିନେଇଥିଲେ । ଜମି ସହ ଘର ଏବେ ଦୁଇ ପୁଅଙ୍କ ନାମରେ ହୋଇଯାଇଛି ।
ଏହି ଘଟଣା ସାମ୍ନା କୁ ଆସିବା ପରେ ଆଇସା ବିବି ଏବେ ତହସିଲରୁ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ପର୍ୟ୍ୟନ୍ତ ବୁଲୁଛନ୍ତି । ନିଜ ଜମି ଓ ଘର ଏବେ ଦୁଇ ପୁଅ ଙ୍କ ନାମ ରେ ହୋଇଥିବା ବେଳେ ମାଡ ଖାଇବା ସହ ଘରୁ ବାହାରି ଏବେ ଝିଅ ଘରେ ରହୁଛନ୍ତି । ତେବେ ଏବେ ଅଇସା ବିବି ଙ୍କୁ ମୃତ ଘୋଷଣା ନାମା କୁ ସତ୍ ଦର୍ଶାଇଥିବା ରାଜସ୍ୱ ନିରୀକ୍ଷକ ସେହି କାର୍ୟ୍ୟାଳୟରୁ ବଦଳି ହେବା ପୂର୍ବରୁ ତରବରିଆ ଭାବ ପୁଣି ଏବେ ତଦନ୍ତ ରିପୋର୍ଟ ଦେଇଛନ୍ତି । ଯେଉଁଥିରେ ଦର୍ଶାଇଛନ୍ତି ଯେ ଆଇସା ବିବି ତୀର୍ଥ ଯାଇଥିବା ବେଳେ ହଜି ଯାଇଥିଲେ ଓ ତାଙ୍କ ପୁଅ ମାନେ ମିଥ୍ୟା ତଥ୍ୟ ଦେଇଛନ୍ତି ।
ଏବେ ସଂପୃକ୍ତ ରାଜସ୍ୱ ନିରୀକ୍ଷକ, ଦୁଇ ପୁଅ ଓ ୪ ଜଣ ସାକ୍ଷୀଙ୍କ ନାମରେ ଧାମନଗର ଥାନାରେ ଏତଲା ଦେଇଛନ୍ତି ଆଇସା ବିବି । ଭଦ୍ରକ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଘଟଣା ବିଷୟରେ ଅବଗତ ହୋଇଛନ୍ତି । ଘଟଣାକୁ ନେଇ ଅଭିଯୋଗ ପତ୍ର ଦେଲେ ସଂପୃକ୍ତ ରାଜସ୍ୱ ନିରୀକ୍ଷକଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ନେବା ନେଇ ପ୍ରତିଶ୍ରୁତି ଦେଇଛନ୍ତି । ଏମିତି କି ଦୁଇ ପୁଅଙ୍କ ନାମରେ ହୋଇଥିବା ଘର ଓ ଜମି ପୁଣି ଆଇସା ବିବିଙ୍କ ନାମ କୁ କେମିତି ଫେରିବ ସେ ନେଇ ମଧ୍ୟ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ।