ପୁରୀ: ଯେଉଁ ଗୁରୁ ପିଲାର ଭବିଷ୍ୟତ ଗଢ଼ୁଛନ୍ତି, ସେହି ଗୁରୁଙ୍କୁ ଅପମାନ ଏବଂ ଅସମ୍ମାନ । ପିଲାଙ୍କୁ ଶାସନ କଲେ ବୋଲି ଅତି ଅସଭ୍ୟ ଭାଷାରେ ଗାଳି ଗୁଲଜ କରୁଛନ୍ତି ଅଭିଭାବକ ଏବଂ ଥାନାରେ ଏତଲା ଦେବାକୁ ମଧ୍ୟ ଦେଉଛନ୍ତି ଧମକ । ପୁରୀ ଜିଲ୍ଲା ସତ୍ୟବାଦୀରୁ ଆସିଛି ଏଭଳି ଖବର ।
ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଶୁକଳ ତୃତୀୟ ଦେବ ବିଦ୍ୟାନିକେତନ ବିଦ୍ୟାଳୟରେ ଜଣେ ଖେଳ ଶିକ୍ଷକଙ୍କୁ ଜଣେ ଅଭିଭାବକ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଛନ୍ତି । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେଉଛି । ସମ୍ପୃକ୍ତ ଅଭିଭାବକ ଜଣେ ଶିକ୍ଷୟିତ୍ରୀଙ୍କ ସେଠି ଉପସ୍ଥିତ ଥାଇ ବୁଝାବୁଝି କରୁଥିବା ସତ୍ୱେ ସମସ୍ତ ଶାଳୀନତା ଭୁଲି ଯାଇଥିଲେ । ତଥାପି ସେ ବାରମ୍ବାର ଅଶାଳୀନ ଭାଷାରେ ଗାଳି କରିବା ସହିତ ମାଡ଼ ମାରିବା ଏବଂ ଥାନାରେ ଏତଲା ଦେବାକୁ ଧମକ ଦେଉଥିଲେ ।
ସେଠାରେ ଅନ୍ୟ ଛାତ୍ରମାନେ ଯାଉଥିବା ଭିଡ଼ିଓରେ ଦେଖିବାକୁ ମିଳିଥିଲା । ପିଇଟି ଶିକ୍ଷକ ବାରମ୍ବାର କ୍ଷମା ମାଗିବା ଏବଂ ନମ୍ର ବ୍ୟବହାର ଦେଖାଉଥିବାବେଳେ ଉକ୍ତ ବ୍ୟକ୍ତି ମାଡ଼ ମାରିବାକୁ ହାତ ଉଠାଉଛନ୍ତି । ତେବେ ଏହି ଭିଡ଼ିଆ ସୋସିଆଲ ମିଡ଼ିଆରେ କ୍ଷୀପ୍ର ବେଗରେ ଭାଇରାଲ ହେବାରେ ଲାଗିଛି । ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସମ୍ପୃକ୍ତ ଅଭିଭାବକଙ୍କୁ ଗିରଫ କରିବାକୁ ସାମାଜିକ ଗଣମାଧ୍ୟମରେ ଜୋରଦାର ଦାବି ହେଉଛି ।
ସେପଟେ ଶୁକଳ ତୃତୀୟ ଦେବ ବିଦ୍ୟାନିକେତନର ପ୍ରଧାନ ଶିକ୍ଷକ ଅରବିନ୍ଦ ଦାସଙ୍କ ସୂଚନା ଅନୁସାରେ, ଗତ 9 ତାରିଖ ଦିନ ପ୍ରାର୍ଥନା ସଭା ଚାଲିଥିବାବେଳେ କିଛି ପିଲା ଯୋଗ ଦେଇନଥିଲେ । ଖେଳ ଶିକ୍ଷକ ସେମାନଙ୍କୁ ଦେଖି ତାଗିଦ କରିଥିଲେ । ଏହାକୁ ନେଇ ଜଣେ ପିଲା ତାଙ୍କ ବାପାଙ୍କୁ କହିବା ପରେ ବାପା ବିଦ୍ୟାଳୟ ଭିତରେ ପଶି ସମ୍ପୃକ୍ତ ଖେଳ ଶିକ୍ଷକଙ୍କୁ ଗାଳି ଗୁଲଜ କରିଥିଲେ । ଯାହା ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଛାତ୍ରଙ୍କ ମାଆ ଆସି ବିଦ୍ୟାଳୟରେ କ୍ଷମା ପ୍ରାର୍ଥନା ମାଗିଥିଲେ । ପ୍ରଧାନ ଶିକ୍ଷକ ଏ ବିଷୟରେ ସଜ୍ଞାନ ନେବା ପରେ ଖେଳ ଶିକ୍ଷକଙ୍କୁ ଯୋଗାଯୋଗ କରିଥିଲେ । ଥାନାରେ ଏତଲା ଦେବାକୁ ମଧ୍ୟ ପରାମର୍ଶ ଦେଇଥିଲେ । ମାତ୍ର ଶିକ୍ଷକ ଜଣକ ଥାନାକୁ ମାମଲା ନେବାକୁ ରାଜି ହୋଇନଥିଲେ । ପରବର୍ତ୍ତୀ ସମୟରେ ଗତକାଲି ଉଭୟ ପକ୍ଷ ଥାନାକୁ ଯାଇ ମାମଲାର ସମାଧାନ କରିଥିବା ପ୍ରଧାନ ଶିକ୍ଷକ କହିଛନ୍ତି ।