ବାଲେଶ୍ୱର: ସମୁଦ୍ର ମଝିରେ ମୃତ୍ୟୁର ତାଣ୍ଡବ । ମାଛ ମାରିବାକୁ ଯାଇ ନିଖୋଜ ହୋଇଯାଇଥିବା ୧୫ ଜଣ ମତ୍ସ୍ୟଜୀବୀଙ୍କ ମଧ୍ୟରୁ ୯ ଜଣଙ୍କର ମୃତ ଦେହ ଉଦ୍ଧାର ହୋଇଛି । ଯେଉଁଥିରେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଉଲୁଡ଼ା ଗ୍ରାମର ତିନି ଜଣ ଭାଇ ଜୟରାମ ମାଝୀ, ରବୀନ୍ଦ୍ର ମାଝୀ ଓ ଜଗନ୍ନାଥ ମାଝୀଙ୍କ ମୃତ ଦେହ ମଧ୍ୟ ସାମିଲ ରହିଛି । ଆହୁରି ୬ ଜଣ ମତ୍ସ୍ୟଜୀବୀଙ୍କ ସନ୍ଧାନ ମିଳିପାରିନାହିଁ ।
ଗତ ଶନିବାର ଦିନ ପଶ୍ଚିମବଙ୍ଗର କାକ୍ୱଦୀପ ରକ୍ତେଶ୍ୱରୀ ବାଲିଚଢ଼ ପାଖରେ ଟ୍ରଲରଟି ଠାବ କରାଯାଇଥିଲା । ପ୍ରାଥମିକ ସ୍ତରରେ ମତ୍ସ୍ୟଜୀବୀମାନେ ସୁରକ୍ଷିତ ଥିବା ଅନୁମାନ କରାଯାଇଥିଲା । ଗତକାଲି ଅପରାହ୍ନରେ ଦକ୍ଷିଣ ୨୪ ପ୍ରଗନା ଜିଲ୍ଲାର ଗୋବର୍ଦ୍ଧନପୁର ଥାନା ପୋଲିସ, ବନ ବିଭାଗ ଏବଂ ଭାରତୀୟ ତଟରକ୍ଷୀ ବାହିନୀର ମିଳିତ ଉଦ୍ୟମରେ ରକ୍ତାଚର ଟ୍ରଲରଟି ଓଲଟି ପଡ଼ିଥିବା ଜଣାପଡ଼ିଥିଲା । ଟ୍ରଲରକୁ ଉଦ୍ଧାରକାରୀ ଦଳ ଟାଣି ଟାଣି ଗୋବର୍ଦ୍ଧନପୁରର ସୀତାରାମପୁର ଉପକୂଳକୁ ଆଣିଥିଲେ । ଗତକାଲି ରାତିସାରା ଅକ୍ଳାନ୍ତ ପରିଶ୍ରମ ପରେ ୯ ଜଣ ମତ୍ସ୍ୟଜୀବୀଙ୍କ ମୃତ ଦେହକୁ ଉଦ୍ଧାର କରାଯାଇଛି । ଉଦ୍ଧାର ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ କାକଦ୍ୱୀପ ସବଡିଭିଜନ ହସ୍ପିଟାଲକୁ ପଠାଇ ଦିଆଯାଇଛି। ଅନ୍ୟ ନିଖୋଜ ୬ ମତ୍ସ୍ୟଜୀବୀଙ୍କର କୌଣସି ସନ୍ଧାନ ମିଳିପାରିନାହିଁ । ସେମାନେ କେଉଁ ସ୍ଥିତିରେ ତାହା ଜଣାପଡ଼ିନାହିଁ । ସେମାନଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି ।
ଅନ୍ୟପକ୍ଷରେ ଭୋଗରାଇ ବ୍ଲକ ଉଲୁଡ଼ା ଗ୍ରାମରେ ଜୟରାମ ମାଝୀ, ରବୀନ୍ଦ୍ର ମାଝୀ ଓ ଜଗନ୍ନାଥ ମାଝୀଙ୍କ ଘର କାନ୍ଦ ବୋବାଳୀରେ ଫାଟି ପଡ଼ୁଛି । ସାରା ଗ୍ରାମରେ ଶୋକର ଛାୟା ଖେଳାଯାଇଛି ।
ଟ୍ରଲରଟି କେଉଁ ପରିସ୍ଥିତିରେ ଓଲଟିଲା, ତାହା ସ୍ପଷ୍ଟ ହୋଇନାହିଁ । ଯେଉଁସମୟରେ ଟ୍ରଲର୍ ସମୁଦ୍ର ଭିତରକୁ ଯାଇଥିଲା ସେହି ସମୟରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଥିଲା । ପ୍ରତିକୂଳ ପାଣିପାଗ ପାଇଁ ଏଭଳି ଅଘଟଣ ଘଟିଛି ନା ଯାନ୍ତ୍ରିକ ସମସ୍ୟା ଯୋଗୁଁ ଏପରି ହୋଇଛି ସେ ନେଇ ତଦନ୍ତ ଆରମ୍ଭ ହୋଇଛି ।
ଉଲ୍ଲେଖ ଯୋଗ୍ୟ, ଗତ ଜୁଲାଇ ୨ ତାରିଖରେ ପଶ୍ଚିମବଙ୍ଗର ଶଙ୍କରପୁର ବେଳାଭୂମିରୁ "ମାଆ କାଳୀ" ନାମକ ଟ୍ରଲରରେ ୧୫ ଜଣ ମତ୍ସ୍ୟଜୀବୀ ସମୁଦ୍ରକୁ ଭିତରକୁ ମାଛ ମାରିବାକୁ ଯାଇଥିଲେ । ସେଥିରେ ଭୋଗରାଇ ବ୍ଲକ ଉଲୁଡ଼ା ଗ୍ରାମର ତିନି ଜଣ ଭାଇ ଜୟରାମ ମାଝୀ, ରବୀନ୍ଦ୍ର ମାଝୀ ଓ ଜଗନ୍ନାଥ ମାଝୀ ମଧ୍ୟ ଥିଲେ । କିନ୍ତୁ ଟ୍ରଲରଟି ନିର୍ଦ୍ଧାରିତ ସମୟରେ ଆଉ ନ ଫେରିବା ପରେ ଅନେକ ଆଶା ଆଶଙ୍କା ଦେଖା ଦେଇଥିଲା । ତୁରନ୍ତ ସେମାନଙ୍କୁ ଖୋଜିବାକୁ ପରିବାର ଲୋକଙ୍କ ସହ ଶଙ୍କରପୁର ମତ୍ସ୍ୟଜୀବୀ ସଂଘର ସମ୍ପାଦକ ସ୍ୱଦେଶ ନାୟକ ନିଖୋଜ ପ୍ରଶାସନକୁ ନୌସେନାର ହେଲିକପ୍ଟର ସହାୟତା ନେବାକୁ ଅନୁରୋଧ କରିଥିଲେ ।