ନୂଆଦିଲ୍ଲୀ: ସାରା ଦେଶରେ ଗୋହତ୍ୟା ଏବଂ ଗୋବଂଶ ସୁରକ୍ଷାକୁ ନେଇ ଚାଲିଥିବା ଆଇନଗତ ବିତର୍କ ମଧ୍ୟରେ ସର୍ବୋଚ୍ଚ ଅଦାଲତ ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି। ତାମିଲନାଡୁରେ ଗୋହତ୍ୟା ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଇବାକୁ ନେଇ ମାଡ୍ରାସ ହାଇକୋର୍ଟ ଦେଇଥିବା ପୂର୍ବ ନିର୍ଦ୍ଦେଶକୁ ସୁପ୍ରିମକୋର୍ଟ ରଦ୍ଦ କରିଦେଇଛନ୍ତି। ସର୍ବୋଚ୍ଚ ଅଦାଲତଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ପରେ ଏହି ମାମଲାକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି।
ପୂର୍ବରୁ ମାଡ୍ରାସ ହାଇକୋର୍ଟ ଏକ ମାମଲାର ଶୁଣାଣି କରି ତାମିଲନାଡୁରେ ଗୋହତ୍ୟା ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଗୋବଂଶର ସୁରକ୍ଷା ଏବଂ ଧାର୍ମିକ ଭାବନାକୁ ଆଧାର କରି ହାଇକୋର୍ଟ ଏହି କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲେ। ମାତ୍ର ହାଇକୋର୍ଟଙ୍କ ଏହି ଆଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକ ଯାଚିକା ଦାଖଲ କରାଯାଇଥିଲା।
ସୁପ୍ରିମକୋର୍ଟ ଏହି ଆବେଦନ ଉପରେ ବିଚାର କରି କହିଛନ୍ତି ଯେ, ଆଇନ ପ୍ରଣୟନ କରିବା ଏବଂ କେଉଁ ଜିନିଷ ଉପରେ ପ୍ରତିବନ୍ଧକ ଲଗାଯିବ ତାହା ସମ୍ପୂର୍ଣ୍ଣ ଭାବେ ବିଧାନସଭା ବା ସରକାରଙ୍କ କାର୍ଯ୍ୟକ୍ଷେତ୍ର ଅଧୀନରେ ଆସୁଛି। କୋର୍ଟ କହିଛନ୍ତି ଯେ ନ୍ୟାୟପାଳିକା ନିଜ ଆଡ଼ୁ ସରକାରଙ୍କ ନୀତିଗତ ନିଷ୍ପତ୍ତିରେ ସୀମାରୁ ଅଧିକ ହସ୍ତକ୍ଷେପ କରିପାରିବ ନାହିଁ।
ତାମିଲନାଡୁରେ ପୂର୍ବରୁ ହିଁ ଗୋବଂଶ ଏବଂ ପଶୁ ସଂରକ୍ଷଣ ପାଇଁ ନିଜସ୍ୱ ଆଇନ ରହିଛି, ଯେଉଁଥିରେ କେଉଁ ପରିସ୍ଥିତିରେ ଏବଂ କେଉଁ ପଶୁଙ୍କ କ୍ଷେତ୍ରରେ ନିୟମ ଲାଗୁ ହେବ ତାହା ସ୍ପଷ୍ଟ ଉଲ୍ଲେଖ ଅଛି। ତେଣୁ ହାଇକୋର୍ଟ ଏଭଳି ସମ୍ପୂର୍ଣ୍ଣ ବ୍ୟାନ ସମ୍ପର୍କିତ ନିର୍ଦ୍ଦେଶ ଜାରି କରିବା ଉଚିତ୍ ନଥିଲା।
Also Read: ରାମ ମନ୍ଦିର ଦାନ ଆତ୍ମସାତ ମାମଲାରେ ଟ୍ରଷ୍ଟକୁ ନୋଟିସ୍ ଜାରି କଲେ SC, SITକୁ ମାଗିଲେ ରିପୋର୍ଟ