ନୂଆଦିଲ୍ଲୀ: ରାମ ମନ୍ଦିର ଦାନ ଆତ୍ମସାତ ମାମଲାରେ ସୁପ୍ରିମକୋର୍ଟ ରାମଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟକୁ ନୋଟିସ୍ ଜାରି କରିଛନ୍ତି । ଏହା ସହିତ ମାମଲାର ତଦନ୍ତ କରୁଥିବା ସ୍ୱତନ୍ତ୍ର ତଦନ୍ତକାରୀ ଦଳ(ଏସଆଇଟି)କୁ ଯାଞ୍ଚ ରିପୋର୍ଟ ତଲବ କରିଛନ୍ତି । ଜବାବ ଦେବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ଗୋଟିଏ ସପ୍ତାହ ସମୟ ଦେଇଛନ୍ତି । ପ୍ରଧାନ ବିଚାରପତିଙ୍କ ନେତୃତ୍ୱାଧୀନ ତିନି ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରୁଛନ୍ତି । ଏହି ମାମଲାରେ ଏସଆଇଟି ଅଦ୍ୟାବଧି ୮ ଜଣଙ୍କୁ ଗିରଫ କରି ସ।।ରିଛି । ଚମ୍ପତ ରାୟ ଟ୍ରଷ୍ଟର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇ ସାରିଛନ୍ତି ।
ଅଦାଲତରେ ଶୁଣାଣି ସମୟରେ ଓକିଲ କହିଛନ୍ତି, ୧୨୩ ବର୍ଷ ପରେ ଆଉ ଏକ ଲଢେଇ ଆରମ୍ଭ ହୋଇ ଯାଇଛି । ତଦନ୍ତ ପାଇଁ ଏସଆଇଟି ଗଠନ ହୋଇଛି ଏବଂ ପ୍ରମାଣକୁ ସୁରକ୍ଷିତ ରଖାଯାଇଛି । ଏହା ଉପରେ ସିଜେଆଇ ସୂର୍ଯ୍ୟକାନ୍ତ କହିଛନ୍ତି, ଆପଣ ନିଜର ଶକ୍ତି ବଞ୍ଚାଇ ରଖନ୍ତୁ, ବାହାରେ କାମରେ ଆସିବ । କୋର୍ଟ ଟ୍ରଷ୍ଟ ଓ ୟୁପି ସରକାର ଦ୍ୱାରା ଗଠିତ ଏସଆଇଟିଠୁ ତଦନ୍ତର ସ୍ଥିତାବସ୍ଥା ରିପୋର୍ଟ ମାଗିଛନ୍ତି ।
ହିନ୍ଦୁ ଧର୍ମ ପରିଷଦ ସୁପ୍ରିମକୋର୍ଟରେ ଯାଚିକା ଦାୟର କରି କୋର୍ଟଙ୍କ ତତ୍ୱାବଧାନରେ ରାମ ମନ୍ଦିର ଦାନ ଅର୍ଥ ଆତ୍ମସାତ ମାମଲାର ତଦନ୍ତ କରାଇବାକୁ ଦାବି କରିଥିଲେ । ସିଜେଆଇ ସୂର୍ଯ୍ୟକାନ୍ତଙ୍କ ପୀଠ ମୋଟ୍ ଚାରି ଯାଚିକା ଉପରେ ଶୁଣାଣି କରୁଛନ୍ତି । ଅନ୍ୟ ଦୁଇଟି ଯାଚିକାରେ ମାମଲାର ତଦନ୍ତ ସିବିଆଇ ଦ୍ୱାରା କରାଯାଉ ବୋଲି ଦାବି କରାଯାଇଛି । ଆଉ ଏକ ଯାଚିକାରେ ସିବିଆଇର ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ତଦନ୍ତ କରିବାକୁ ଦାବି ହୋଇଛି । କେବଳ ଏତିକି ନୁହେଁ ମନ୍ଦିର ଟ୍ରଷ୍ଟର ଆର୍ଥିକ ନେଣଦେଣର ଫରେନ୍ସିକ ଯାଞ୍ଚ ହେବା ଉଚିତ୍ ବୋଲି ଯାଚିକାରେ ଦାବି କରାଯାଇଛି ।
ଆବେଦନକାରୀ ଘଟଣାର ତଦନ୍ତ ନିରପେକ୍ଷ ଓ ପାରଦର୍ଶୀ ହେଉ ବୋଲି ଦାବି କରିଛନ୍ତି । ଏହି ସବୁ ଯାଚିକାରେ ନରେନ୍ଦ୍ର କୁମାର ଗୋସ୍ୱାମୀଙ୍କ ରିଟ୍ ଯାଚିକା, ଆରଜେଡି ସାଂସଦ ସୁଧାକର ସିଂ ଓ ଅଜୟ କୁମାର ରାୟଙ୍କ ଶ୍ରୀରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟ ବିରୋଧରେ ଯାଚିକା ସାମିଲ୍ । ତେବେ ଏସବୁ ଯାଚିକା ଉପରେ ସୁପ୍ରିମକୋର୍ଟ ତତ୍କାଳ ଶୁଣାଣି କରିବାକୁ ମନା କରିଥିଲେ । ହେଲେ ଅବକାଶକାଳୀନ ଛୁଟି ପରେ ଏବେ ସୁପ୍ରିମକୋର୍ଟ ମାମଲାର ଶୁଣାଣି ଆରମ୍ଭ କରିଛନ୍ତି ।
Also Read: ସମ୍ଭଲ, ମଥୁରା ଓ ଜ୍ଞାନବାପୀ କେସରେ ସୁପ୍ରିମକୋର୍ଟଙ୍କ ଟିପ୍ପଣୀ, କହିଲେ- ମଧ୍ୟସ୍ଥତା ଜରିଆରେ ସମାଧାନ କର