ପୁରୀ: ପୁରୀ ରଥଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟସେବାକୁ ସର୍ବାଧିକ ପ୍ରାଥମିକତା ଦେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଶେଷ ହୋଇଛି। ରଥଯାତ୍ରା ସମୟରେ ପୁରୀକୁ ସଂଯୋଗ କରୁଥିବା ସମସ୍ତ ପ୍ରମୁଖ ରାସ୍ତାରେ ଆଶୁ ଚିକିତ୍ସା କେନ୍ଦ୍ର ଖୋଲାଯିବ। ପ୍ରତ୍ୟେକ କେନ୍ଦ୍ରରେ ଡାକ୍ତର, ନର୍ସ, ଫାର୍ମାସିଷ୍ଟଙ୍କ ସହ ପର୍ଯ୍ୟାପ୍ତ ଔଷଧ ଓ ଆପାତକାଳୀନ ସେବାର ବ୍ୟବସ୍ଥା ରହିବ।
ଏଥର ଜିଲ୍ଲା ପ୍ରଶାସନ ପକ୍ଷରୁ ୩୦ଟି ସରକାରୀ ଓ ୫୨ଟି ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଆଶୁ ଚିକିତ୍ସା କେନ୍ଦ୍ର ସ୍ଥାପନ କରାଯିବ। ସେହିପରି ଯେକୌଣସି ଆପାତକାଳୀନ ସ୍ଥିତିର ମୁକାବିଲା ପାଇଁ ୪୬ଟି ‘୧୦୮’ ଆମ୍ବୁଲାନ୍ସ ସହ ୪୩ଟି ଘରୋଇ ଆମ୍ବୁଲାନ୍ସ ସଜାଗ ରହିବ।
ଭିଡ଼ ଭିତରେ ଅସୁସ୍ଥ କିମ୍ବା ଆହତ ଭକ୍ତଙ୍କୁ ତୁରନ୍ତ ଉଦ୍ଧାର କରିବା ପାଇଁ ୧୨ଟି ଷ୍ଟ୍ରେଚର୍ ୟୁନିଟ୍ରେ ୧୨୯ ଜଣ ସ୍ୱେଚ୍ଛାସେବୀ ନିୟୋଜିତ ହେବେ। ଏହାଛଡ଼ା ୮ରୁ ଅଧିକ ସ୍ୱେଚ୍ଛାସେବୀ ଅନୁଷ୍ଠାନର ୪୦୦ରୁ ଅଧିକ ତାଲିମପ୍ରାପ୍ତ ସ୍ୱେଚ୍ଛାସେବୀ ଯାତ୍ରୀଙ୍କୁ ଆବଶ୍ୟକ ସମୟରେ ସହାୟତା ଯୋଗାଇବେ।
କେବଳ ଆଶୁ ଚିକିତ୍ସା କେନ୍ଦ୍ର ନୁହେଁ, ସହରର ବିଭିନ୍ନ ପ୍ରମୁଖ ସ୍ଥାନରେ ଏସି ସୁବିଧାଯୁକ୍ତ ଅସ୍ଥାୟୀ ଡାକ୍ତରଖାନା ଓ ଶଯ୍ୟାର ବ୍ୟବସ୍ଥା ମଧ୍ୟ କରାଯାଇଛି। ଉତ୍ତରଦ୍ୱାର, ବସ୍ଷ୍ଟାଣ୍ଡ, ଦିଗବାରେଣୀ ଛକ, ନୀଳାଦ୍ରି ଭକ୍ତନିବାସ, ଜଗନ୍ନାଥବଲ୍ଲଭ ପାର୍କିଂ, ରେଳଷ୍ଟେସନ୍ ସମେତ ଏକାଧିକ ସ୍ଥାନରେ ଶଯ୍ୟା ସହ ଚିକିତ୍ସା ବ୍ୟବସ୍ଥା ଉପଲବ୍ଧ ରହିବ।
ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗର ଏହି ବ୍ୟାପକ ପ୍ରସ୍ତୁତି ରଥଯାତ୍ରା ସମୟରେ ଭକ୍ତଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇବା ସହ ଯେକୌଣସି ଆପାତକାଳୀନ ପରିସ୍ଥିତିକୁ ସଫଳତାର ସହ ମୁକାବିଲା କରିବାରେ ବଡ଼ ସହାୟକ ହେବ।