ଭୁବନେଶ୍ୱର: ରାଜ୍ୟ ସରକାରୀ ପାଠ୍ୟପୁସ୍ତକରେ ହୋଇଥିବା ତ୍ରୁଟିକୁ ନେଇ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ମାମଲାରେ ଏସସିଇଆରଟି (SCERT) ପକ୍ଷରୁ ଏଫଆଇଆର ଦାଖଲ କରାଯାଇଥିବାବେଳେ ଘଟଣାର ପର୍ଦ୍ଦାଫାଶ ପାଇଁ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି।
ଏହି ଚର୍ଚ୍ଚିତ ମାମଲାର ତଦନ୍ତ ପାଇଁ ଜଣେ ଏସପିଙ୍କ ନେତୃତ୍ୱରେ ଜଣେ ଡିଏସପି ଓ ତିନିଜଣ ଅଧିକାରୀଙ୍କୁ ନେଇ ଏକ ୫ ଜଣିଆ ସ୍ୱତନ୍ତ୍ର କ୍ରାଇମବ୍ରାଞ୍ଚ ଟିମ୍ ଗଠନ କରାଯାଇଛି। ଏହି ଟିମ୍ ପାଠ୍ୟପୁସ୍ତକରେ ତ୍ରୁଟି କିପରି ହେଲା, କେଉଁମାନେ ଏଥିରେ ସମ୍ପୃକ୍ତ ଥିଲେ ଏବଂ ଏହା ପଛରେ କୌଣସି ଷଡ଼ଯନ୍ତ୍ର ରହିଛି କି ନାହିଁ, ସେନେଇ ଖୋଳତାଡ଼ କରିବ।
କେବଳ ବିଷୟବସ୍ତୁର ତ୍ରୁଟି ନୁହେଁ, ପାଠ୍ୟପୁସ୍ତକ ପ୍ରସ୍ତୁତି, ଯାଞ୍ଚ, ସମ୍ପାଦନା, ସମୀକ୍ଷା ଓ ପ୍ରକାଶନ ପ୍ରକ୍ରିୟାରେ କେଉଁ ସ୍ତରରେ ଅବହେଳା ହୋଇଛି, ତାହା ମଧ୍ୟ ତଦନ୍ତର ପରିସରକୁ ଆସିବ। ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ରିପୋର୍ଟ ଆଧାରରେ କ୍ରାଇମବ୍ରାଞ୍ଚ ସମ୍ପୃକ୍ତ ବ୍ୟକ୍ତିଙ୍କ ଭୂମିକା ଯାଞ୍ଚ କରିବ।
ଏହାସହ ୨୦୨୬–୨୭ ଶିକ୍ଷାବର୍ଷ ପାଇଁ ମାଗଣା ପାଠ୍ୟପୁସ୍ତକ ପ୍ରସ୍ତୁତିରେ ୩୦୦ କୋଟି ଟଙ୍କାରୁ ଅଧିକ ବ୍ୟୟ, ଆଉଟ୍ସୋର୍ସିଂ ସଂସ୍ଥାଗୁଡ଼ିକୁ ଦିଆଯାଇଥିବା ଅର୍ଥ, ଡିଟିପି ଓ ଡିଜାଇନିଂ ଟେଣ୍ଡର ପ୍ରକ୍ରିୟା, ଏବଂ ଓସେପାର ଆର୍ଥିକ କାରବାରର ମଧ୍ୟ ଟିକିନିଖି ଯାଞ୍ଚ କରାଯିବ।
ତଦନ୍ତରେ SCERT, ରାଜ୍ୟ ଷ୍ଟିୟରିଂ କମିଟି, କୋର କମିଟି, ସମ୍ପାଦନା ଓ ସମୀକ୍ଷକ ମଣ୍ଡଳୀଙ୍କ ଭୂମିକାକୁ ମଧ୍ୟ ଖତିଆନ କରାଯିବ। ବିଶେଷକରି NCERTର ଛବି କିପରି ଓଡ଼ିଆ ପାଠ୍ୟପୁସ୍ତକରେ ସ୍ଥାନ ପାଇଲା, ସେଥିପାଇଁ ସ୍ୱତନ୍ତ୍ର ଭାବେ ଅନୁଧ୍ୟାନ ହେବ। ତଦନ୍ତ ଶେଷ ହେବା ପରେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି।