ପିପିଲି: ସକାଳର ମର୍ଣ୍ଣି ୱାକ୍ ହେଲା ଜୀବନର ଶେଷ ଯାତ୍ରା। ଭୁବନେଶ୍ୱର–ପୁରୀ ଜାତୀୟ ରାଜପଥରେ ଏକ ହିଟ୍ ଆଣ୍ଡ ରନ୍ ଦୁର୍ଘଟଣାରେ ଜଣେ ୩୫ ବର୍ଷୀୟ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ସୋମବାର ସକାଳେ ପିପିଲି ବାଇପାସ ରାସ୍ତାର ନୂଆଶାସନ ଗ୍ରାମ୍ୟ ଛକ ନିକଟସ୍ଥ ପେଟ୍ରୋଲ ପମ୍ପ ସମ୍ମୁଖରେ ଏହି ଦୁଃଖଦ ଘଟଣା ଘଟିଛି।
ମୃତକ ହେଲେ ନୂଆଶାସନ ଗ୍ରାମ ଦକ୍ଷିଣସାହିର ବାସିନ୍ଦା ୩୫ ବର୍ଷୀୟସୁଶୀଲ ଷଡ଼ଙ୍ଗୀ। ସୂଚନା ଅନୁସାରେ, ସେ ସକାଳେ ରାସ୍ତା କଡ଼ରେ ମର୍ଣ୍ଣି ୱାକ୍ କରୁଥିବାବେଳେ ପଛପଟୁ ଆସୁଥିବା ଏକ ଅଜଣା ଗାଡ଼ି ତାଙ୍କୁ ଜୋରଦାର ଧକ୍କା ଦେଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ ସେ ଛିଟିକି ପଡ଼ି ଫୁଟପାଥ ଉପରେ ମୁଣ୍ଡ ମାଡ଼ିଥିଲେ।
ମୁଣ୍ଡ ଓ କାନରେ ଗୁରୁତର ଆଘାତ ଲାଗି ପ୍ରବଳ ରକ୍ତସ୍ରାବ ହେବାରୁ ଘଟଣାସ୍ଥଳରେ ହିଁ ସୁଶୀଲଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ଗାଡ଼ିଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଖବର ପାଇ ପିପିଲି ଥାନା ଆଇଆଇସି ସୌମେନ୍ଦୁ ଶେଖର ତ୍ରିପାଠୀ ଓ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ସେଠାରେ ଡାକ୍ତର ସୁଶୀଲଙ୍କୁ ମୃତ ଘୋଷଣା କରିଥିଲେ।
ପୁଲିସ ମାମଲା ରୁଜୁ କରି ଫେରାର ଗାଡ଼ିର ସନ୍ଧାନ ଆରମ୍ଭ କରିଛି। ନିକଟସ୍ଥ ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଥିବା ବେଳେ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଚିହ୍ନଟ କରିବାକୁ ତଦନ୍ତ ଜାରି ରହିଛି।