ସମ୍ବଲପୁର: ସମ୍ବଲପୁର ଜିଲ୍ଲା କୋର୍ଟକୁ ପୁଣି ଥରେ ବୋମା ଧମକ ଆସିଛି । ସୋମବାର ଇମେଲ୍ ଯୋଗେ ବୋମା ଧମକ ମିଳିବା ପରେ ତୁରନ୍ତ ହାଇଆଲର୍ଟ ଜାରି କରାଯାଇଛି ।
କୋର୍ଟ ପରିସରକୁ ସମ୍ପୂର୍ଣ୍ଣ ଖାଲି କରାଯିବା ସହିତ ପୋଲିସ, ସନ୍ଧାନୀ କୁକୁର, ବୋମା ନିଷ୍କ୍ରିୟକାରୀ ସ୍କ୍ୱାର୍ଡ, ମେଟାଲ ଡିଟେକ୍ଟର୍ ସାହାଯ୍ୟରେ ଛାନଭିନ ଆରମ୍ଭ ହୋଇଛି । ଗାଡ଼ି ପାର୍କିଂ ସ୍ଥାନଠାରୁ ଆରମ୍ଭ କରି କୋର୍ଟ ରୁମ ପର୍ଯ୍ୟନ୍ତ ସମସ୍ତ ସ୍ଥାନକୁ ତନ୍ନତନ୍ନ କରି ଯାଞ୍ଚ କରାଯାଇଛି । ମାତ୍ର କୋର୍ଟ ପରିସରରୁ ସେପରି କୌଣସି ସନ୍ଦିଗ୍ଧ ସାମଗ୍ରୀ ମିଳିନଥିବା ଏସଡିପିଓ ତୋଫାନ ବାଗ୍ କହିଛନ୍ତି । ତଥାପି ଯାଞ୍ଚ ଜାରି ରହିଛି ।
ତେବେ ରାଜ୍ୟର ବିଭିନ୍ନ କୋର୍ଟକୁ ବୋମା ଧମକ ମିଳିବା କିଛି ନୂଆ ଘଟଣା ନୁହେଁ । ଏହାପୂର୍ବରୁ ମଧ୍ୟ ସମ୍ବଲପୁର କୋର୍ଟକୁ ଏକାଧିକ ବାର ମିଥ୍ୟା ବୋମା ଧମକ ମିଳିଛି । ସେହିପରି ହାଇକୋର୍ଟ, ଭୁବନେଶ୍ୱର, ପୁରୀ, ଅନୁଗୁଳ, କଳାହାଣ୍ଡି ଆଦି ଜିଲ୍ଲାର ବିଭିନ୍ନ କୋର୍ଟକୁ ମଧ୍ୟ ଏପରି ଧମକ ମିଳିଛି ।