ଭଦ୍ରକ: ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ଆରଡି ଛକରେ ଥିବା ଏକ ଘରୋଇ ହସ୍ପିଟାଲରେ ରୋଗୀ ମୃତ୍ୟକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ଚିକିତ୍ସାରେ ଅବହେଳା ଏବଂ ଭୁଲ ଇଞ୍ଜେକ୍ସନ୍ ଯୋଗୁଁ ରୋଗୀ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତକ ହେଲେ ଧୂଷୁରୀ ଥାନା ଅଧିନସ୍ଥ ଗୋବିନ୍ଦପୁର ପଞ୍ଚାୟତର ଅଜମନ୍ତପୁର ଗ୍ରାମର ଅଭୟ ଜେନା । ପୋଲିସ ଜଣେ ଡାକ୍ତରଙ୍କ ସମେତ ଦୁଇ ଜଣଙ୍କୁ ଅଟକ ରଖିଛି ।
ମିଳିଥିବା ପ୍ରାଥମିକ ସୂଚନା ଆଧାରରେ ଧୂଷୁରୀ ଥାନା ଅଧିନସ୍ଥ ଗୋବିନ୍ଦପୁର ପଞ୍ଚାୟତର ଅଜମନ୍ତପୁର ଗ୍ରାମର ଅଭୟ ଜେନାଙ୍କ ଦେହ ଖରାପ ହେବାରୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ତାଙ୍କୁ କଟକ ଏସସିବି ମେଡ଼ିକାଲକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ । ପରିବାର ଲୋକେ ତାଙ୍କୁ ଗତକାଲି ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ଆରଡି ଛକରେ ଥିବା ଘରୋଇ ନର୍ସିଂହୋମରେ ଭର୍ତ୍ତି କରିଥିଲେ । ଏହା ପରେ ଆଜି ସକାଳେ ଅଭୟଙ୍କର ମୃତ୍ୟୁ ହୋଇଛି । ପରିବାର ଲୋକେ ଅଭିଯୋଗ କରିଛନ୍ତି ଅଭୟଙ୍କୁ ଭର୍ତ୍ତି କରାଯିବା ପରଠାରୁ ତାଙ୍କର ଭଲଭାବେ ଚିକିତ୍ସା କରାଯାଇନଥିଲା । ତାଙ୍କର କୌଣସି ସ୍ୱାସ୍ଥ୍ୟ ପରୀକ୍ଷା ନ କରାଯାଇ ଇଞ୍ଜେକ୍ସନ ଦେଇଦେଲେ । ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା ।
ଆଜି ସକାଳୁ ଅଭୟଙ୍କ ମୃତ୍ୟୁ ପରେ ନର୍ସିଂହୋମରେ ତୀବ୍ର ଉତେଜନା ପ୍ରକାଶ ପାଇଛି । ଅଭିଯୋଗ ପରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ସେଠାରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରିବା ସହିତ ଚିକିତ୍ସା କରୁଥିବା ଡାକ୍ତର ପ୍ରିୟ ରଞ୍ଜନ ବାରିକଙ୍କୁ ଅଟକ ରଖିଛି । ସମ୍ପୃକ୍ତ ଡାକ୍ତର କହିଛନ୍ତି ଯେ ଆବଶ୍ୟକ ଚିକିତ୍ସା କରାଯାଉଥିଲା, କିନ୍ତୁ ରୋଗୀଙ୍କ ହୃଦଘାତରେ ମୃତ୍ୟୁ ହୋଇଛି ବୋଲି ସେ କହିଛନ୍ତି ।